ଭାରତରୁ ଫେରାର ହୋଇ ଏକ ଦ୍ୱୀପ କିଣି ରହୁଛି ବିବାଦୀୟ ବାବା ନିତ୍ୟାନନ୍ଦ, ଏହାକୁ ଏକ ସ୍ୱତନ୍ତ୍ର ହିନ୍ଦୁରାଷ୍ଟ୍ର ବୋଲି ଘୋଷଣା କରିଛି

ନୂଆଦିଲ୍ଲୀ : ଭାରତରୁ ଫେରାର ହୋଇଯାଇଥିବା ବିବାଦୀୟ ସାଧୁ  ତଥା ଦୁଷ୍କର୍ମ ଅଭିଯୁକ୍ତ ନିତ୍ୟାନନ୍ଦର ଏକ ବଡ଼ କାରନାମା ସାମନାକୁ ଆସିଛି । ସେ ଦକ୍ଷିଣ ଆମେରିକାର ଇକ୍ୱେଡର ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ଥିବା ଏକ ଦ୍ୱୀପରେ ରହୁଛି । ତାହାକୁ ଏକ ସ୍ୱତନ୍ତ୍ର ଦେଶ କୈଳାସ ବୋଲି ଘୋଷଣା କରିଛି । ଏହାକୁ ସେ ଏକ ସଂପୂର୍ଣ୍ଣ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରିଛି। ଏହି ତଥାକଥିତ ରାଷ୍ଟ୍ରରେ ନାଗରିକତାଗ୍ରହଣ କରିବାକୁ ସେ ଲୋକମାନଙ୍କୁ ଆମନ୍ତ୍ରଣ କରିଛି ଓ ନିଜେ ସ୍ୱତନ୍ତ୍ର ପାସପୋର୍ଟ ମଧ୍ୟ ଜାରି କରୁଛି ।

ଏହି ଦ୍ୱୀପରାଷ୍ଟ୍ରର ଏକ ସ୍ୱତନ୍ତ୍ର ପତାକା ରହିଛି । ପତାକାରେ ନିତ୍ୟାନନ୍ଦଙ୍କ ଚିତ୍ର ଓ ପାଖରେ ଏକ ବୃଷଭ ମଧ୍ୟ ରହିଛି । ଏହାର ଏକ  ୱେବସାଇଟ ମଧ୍ୟ ରହିଛି । ତାହାର ନାଁ ହେଉଛି କୌଳାସ ଡଟ ଓଆରଜି । ସନାତନ ହିନ୍ଦୁଧର୍ମର ସୁରକ୍ଷା, ଏହାର ପରମ୍ପରା ରକ୍ଷା କରିବା ପାଇଁ ଏହି ଦେଶର ନାଗରିକତ୍ୱ ନେବା ସହ ସହାୟତା କରିବାକୁ ଏହି ୱେବସାଇଟରେ ନିବେଦନ କରାଯାଇଛି । ଏହି ଦେଶରେ ୧୦ଟି ବିଭାଗ ରହିଛି । ତାହା ମଧ୍ୟରେ ରହିଛି ନିଜେ ନିତ୍ୟାନନ୍ଦ ପାଇଁ ଗୋଟିଏ ବିଭାଗ, ପ୍ରତିରକ୍ଷା, ଅନ୍ତର୍ଜାତୀୟ ସଂପର୍କ, ଗୃହ, ବାଣିଜ୍ୟ ଓ ଶିକ୍ଷା ଇତ୍ୟାଦି ।

ସମ୍ବନ୍ଧିତ ଖବର