ନୂଆଦିଲ୍ଲୀ: ଭଣ୍ଡବାବା ନିତ୍ୟାନନ୍ଦଙ୍କ ନକଲି ଦେଶ ‘କୈଳାସ’ ସହ ଏକ ଚୁକ୍ତି ସ୍ବାକ୍ଷର କରିବା ପରେ ପାରାଗୁଏର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏହି ସପ୍ତାହରେ ଚାକିରିରୁ ବହିଷ୍କାର କରାଯାଇଛି। ଦକ୍ଷିଣ ଆମେରିକୀୟ ଦ୍ୱୀପ ଭାବେ ଉପସ୍ଥାପିତ ‘ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ କୈଳାସ’ର ଅଧିକାରୀଙ୍କ ସହ ଦସ୍ତାବିଜରେ ସ୍ୱାକ୍ଷର କରିବା ପରେ ତାଙ୍କୁ କୃଷିମନ୍ତ୍ରୀଙ୍କ ଚିଫ୍ ଅଫ୍ ଷ୍ଟାଫ୍ ପଦରୁ ବହିଷ୍କାର କରାଯାଇଛି ବୋଲି ଅର୍ନାଲ୍ଡୋ ଚାମୋରୋ ଗୁରୁବାର ସାମ୍ବାଦିକମାନଙ୍କୁ କହିଛନ୍ତି। ବୁଧବାର ତାଙ୍କୁ ବହିଷ୍କାର କରାଯାଇଛି।
ଚାମୋରୋ କହିଛନ୍ତି ଯେ, ନକଲି ଅଧିକାରୀମାନେ ତାଙ୍କ ମନ୍ତ୍ରୀ କାର୍ଲୋସ୍ ଗିମେନେଜଙ୍କୁ ମଧ୍ୟ ଭେଟିଥିଲେ। ସେମାନଙ୍କ ଉଦ୍ଦେଶ୍ୟ ଜଣାପଡ଼ିନାହିଁ। ଉଭୟ ପକ୍ଷଙ୍କ ଦ୍ୱାରା ସ୍ୱାକ୍ଷରିତ ସ୍ମାରକପତ୍ରରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ କରିବାକୁ ପରିକଳ୍ପନା କରାଯାଇଥିଲା। ମନ୍ତ୍ରଣାଳୟର ଲେଟରହେଡ୍ ଏବଂ ଅଫିସିଆଲ୍ ସିଲ୍ ସହିତ ଏହି ଦସ୍ତାବିଜରେ ଚାମୋରୋ ‘ଯୁକ୍ତରାଷ୍ଟ୍ର କୈଳାସର ସାର୍ବଭୌମ ମାନ୍ୟବର ନିତ୍ୟାନନ୍ଦ ପରମଶିବମ୍’ଙ୍କୁ ଅଭିବାଦନ ଜଣାଇଛନ୍ତି ଏବଂ ‘ହିନ୍ଦୁଧର୍ମ, ମାନବିକତା ଓ ପାରାଗୁଏ ଗଣତନ୍ତ୍ର ପ୍ରତି ତାଙ୍କର ଅବଦାନ’କୁ ପ୍ରଶଂସା କରିଛନ୍ତି। ସ୍ମାରକପତ୍ରରେ ଆହୁରି ସୁପାରିସ କରାଯାଇଛି ଯେ ପାରାଗୁଏ ସରକାର ଯୁକ୍ତରାଷ୍ଟ୍ର କୈଳାସ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ ପାଇଁ ସକ୍ରିୟ ଭାବରେ ଉଦ୍ୟମ କରିବେ ଏବଂ ଜାତିସଂଘ ସମେତ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନରେ ଏକ ସାର୍ବଭୌମ ରାଷ୍ଟ୍ର ଭାବରେ ଏହାର ସ୍ୱୀକୃତିକୁ ସମର୍ଥନ କରିବେ। ପାରାଗୁଏ ଗଣମାଧ୍ୟମ ରିପୋର୍ଟ କରିଛି ଯେ ‘ପରମଶିବମ୍’ ବାସ୍ତବରେ ଜଣେ ଭଣ୍ଡବାବା ଓ ଭାରତୀୟ ନାଗରିକ ଯିଏ ଭାରତରେ କରିଥିବା ଅପରାଧ ପାଇଁ ୱାଣ୍ଟେଡ ଅଟନ୍ତି।