୨୫ରେ ତାମିଲନାଡୁ ଉପକୂଳ ଅତିକ୍ରମ କରିବ ସାମୁଦ୍ରିକ ବାତ୍ୟା ‘ନିଭାର’; ଭିଜେଇବ ଓଡ଼ିଶାକୁ

ଭୁବନେଶ୍ୱର: ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଗତ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ବାତ୍ୟାର ରୂପ ନେଇଛି। ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ନିଭାର୍‌’ ରଖାଯାଇଛି। ଏହା ବର୍ତ୍ତମାନ ପୁଡୁଚେରୀର ଦକ୍ଷିଣ-ପୂର୍ବରେ ୫୫୦ କିଲୋମିଟର ଏବଂ ଚେନ୍ନାଇର ୫୯୦ କିଲୋମିଟର ଦକ୍ଷିଣ-ପୂର୍ବରେ ରହିବା ସହ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ସାମୁଦ୍ରିକ ବାତ୍ୟା ‘ନିଭାର’ ଆସନ୍ତା ୨୫ ତାରିଖ ମଧ୍ୟାହ୍ନରୁ ଅପରାହ୍‌ଣ ମଧ୍ୟରେ ଉତ୍ତର-ପଶ୍ଚିମ ଦିଗକୁ ଗତିକରି କରାଇକାଲ ମଧ୍ୟରେ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି। ତେବେ, ଓଡ଼ିଶା ଉପରେ ଏହାର କୌଣସି ପ୍ରକାର ସିଧା ପ୍ରଭାବ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି। କିନ୍ତୁ ଏହାର ପ୍ରଭାବରେ ୨୫ରୁ ୨୮ ତାରିଖ ମଧ୍ୟରେ ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟର ପ୍ରାୟ ଅନ୍ୟ ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଯୋଗୁଁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ହେବ ଓ ଶୀତ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଜିଲ୍ଲାକୁ ଛାଡ଼ି ରାଜ୍ୟର ପ୍ରାୟ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ହେବ। ୨୬ ତାରିଖରୁ ବର୍ଷା ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀରରେ ମଧ୍ୟମଧରଣର ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ତେବେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳରେ ସ୍ୱଳ୍ପ ବର୍ଷା ଓ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ପୁରୀ, ଖୋର୍ଧା, ନୟାଗଡ଼, କଟକ, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱରରେ ହାଲ୍କା ବର୍ଷା ହୋଇପାରେ। ସମ୍ଭାବ୍ୟ ବାତ୍ୟା ଯୋଗୁଁ ୨୪ ତାରିଖରୁ ଶୀତ କମିବ। ୨୯ ତାରିଖରୁ ପୁଣି ରାଜ୍ୟର ତାପମାତ୍ରା କମିବ ଓ ଶୀତ ବଢ଼ିବ।

ସମ୍ବନ୍ଧିତ ଖବର