ତାମିଲନାଡ଼ୁ, ପୁଡ଼ୁଚେରୀରେ ନିଭାରର ତାଣ୍ଡବ, ପ୍ରବଳ ବର୍ଷାରେ ଚେନ୍ନାଇ ଉବୁଟୁବୁ

ଚେନ୍ନାଇ ବିମାନବନ୍ଦର ବନ୍ଦ, ଜରୁରୀ ସ୍ଥିତି ମୁକାବିଲା ପାଇଁ ଯୁଦ୍ଧଜାହାଜ ମୁତୟନ

‌ଚେନ୍ନାଇ: ତାମିଲନାଡ଼ୁ ଏବଂ ପୁଡୁଚେରୀରେ ଆତଙ୍କ ଖେଳାଇଛି ବାତ୍ୟା ‘ନିଭାର’। ବାତ୍ୟା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି ଏବଂ ଚେନ୍ନାଇର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବା ମଧ୍ୟ ଆରମ୍ଭ ହୋଇଯାଇଛି। ଏହାଦ୍ବାରା ଲୋକମାନଙ୍କ ମଧ୍ୟରେ ଭୟ ବଢ଼ିଯାଇଛି। ଆଜି ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ଚେନ୍ନାଇ ବିମାନବନ୍ଦରରୁ କୌଣସି ବିମାନ ଉଡ଼ାଣ କରିବନି କି ଅବତରଣ କରିବନି। ମେଟ୍ରୋ ସେବା ମଧ୍ୟ ବନ୍ଦ ରହିବ। ଶକ୍ତିଶାଳୀ ବାତ୍ୟା ‘ନିଭାର’ ଅତି ଭୟଙ୍କର ରୂପ ଧାରଣ କରିଛି। ପୁଡ଼ୁଚେରୀ ନିକଟସ୍ଥ ଉପକୂଳରେ ଆଜି ମଧ୍ୟରାତ୍ରି କିମ୍ବା ଆସନ୍ତାକାଲି ସକାଳେ ବାତ୍ୟା ମାଡ଼ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବାତ୍ୟା ପ୍ରଭାବ ଚେନ୍ନାଇରେ ଅଧିକ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇର ପ୍ରମୁଖ ଅଂଚଳଗୁଡ଼ିକ ଜଳବନ୍ଦୀ ହୋଇଯାଇଛି। ଅସ୍ଥାୟୀ ଭାବେ କେତେକ ରାସ୍ତାକୁ ବନ୍ଦ କରିଦିଆଯାଇଛି।

ତାମିଲନାଡ଼ୁର ମମଲ୍ଲାପୁରମ୍‌ ଏବଂ ପୁଡ଼ୁଚେରୀର କରିକଲ୍‌ରେ ବାତ୍ୟା ମାଡ଼ ହେବ। ଏବଂ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୪୫ କିମି ରହିବ। ଉପକୂଳ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ। ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ବାହାରେ ଥିବା ଚେମ୍ବରମ୍ବକ୍କମ ହ୍ରଦରେ ଜଳସ୍ତର ବୃଦ୍ଧି ପାଇଛି। ହ୍ରଦରୁ ୧୦୦୦ କ୍ୟୁସେକ୍‌ ଅତିରିକ୍ତ ଜଳ ଖାଲି କରାଯିବ। ଏହାଦ୍ବାରା ଚେନ୍ନାଇର ଅଡୟାର ନଦୀରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ଖାଲି କରାଯାଇଛି। ରାଜ୍ୟରେ ୧ ଲକ୍ଷ ୨୫ ହଜାର ଲୋକଙ୍କୁ ଏବେ ସରକାରୀ ରିଲିଫ୍‌ ସେଣ୍ଟରରେ ରଖାଯାଇଛି। ତାମିଲନାଡ଼ୁରେ ୧୨୦୦ ଏନ୍‌ଡିଆରଏଫ୍‌ ସଦସ୍ୟ ମୁତୟନ ହୋଇଛନ୍ତି। ଯେ କୌଣସି ଜରୁରୀ ସ୍ଥିତି ପାଇଁ ଯୁଦ୍ଧ ଜାହାଜ ମଧ୍ୟ ମୁତୟନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ବାମୀ ଏବଂ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀଙ୍କ ସହ ବାତ୍ୟା ମୁକାବିଲା ଓ ସହାୟତା ସଂପର୍କରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର