୧୯୭୧ରେ ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ବିଚାର କରୁଥିଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ବହୁ ବର୍ଷ ଧରି ଭାରତ ବିରୋଧୀ ଥିବା କଥା ପ୍ରାୟ ସମସ୍ତେ ଜାଣିଥିବେ । ଶୀତଳ ଯୁଦ୍ଧ ସମୟରେ ଭାରତ ଋଷ ଶିବିରରେ ଥିବାରୁ ଆମେରିକା ଭାରତକୁ ଶତ୍ରୁ ଭାବରେ ଦେଖୁଥିଲା । କିନ୍ତୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ସମୟରେ ଏହି ଭାରତ ବିରୋଧୀ ମନୋଭାବ ଚରମସୀମାରେ ପହଞ୍ଚିଥିଲା । ନିଜେ ନିକ୍ସନ ପ୍ରବଳ ଭାରତ ବିରୋଧୀ ଭାବେ ଜଣାଶୁଣା । ୧୯୭୧ ରେ ବାଂଲାଦେଶକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା । ବାଂଲାଦେଶୀମାନଙ୍କୁ ଉଦ୍ଧାର କରିବାକୁ ଭାରତ ପାକିସ୍ତାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା । କିନ୍ତୁ ଏହା ଦେଖି ନିକ୍ସନ ପ୍ରବଳ ଭାବରେ ରାଗିଯାଇଥିଲେ । ଭାରତକୁ ଉଚିତ ଶିକ୍ଷା ଦେବାକୁ ସେ ପରମାଣୁ ଆକ୍ରମଣ କଥା ମଧ୍ୟ ଚିନ୍ତା କରୁଥିବା ଜଣାଯାଇଛି । ଏ ନେଇ ସେ ତାଙ୍କର ଜାତୀୟ ନିରାପତ୍ତା ପରାମର୍ଶଦାତା ହେନେରୀ କିସିଙ୍ଗରଙ୍କ ସହ ଆଲୋଚନା କରିଥିଲେ । ନିକଟରେ ଆମେରିକା ସରକାର କେତେକ ଗୋପନୀୟ ସରକାରୀ ଫାଇଲକୁ ସାର୍ବଜନୀନ କରିଛନ୍ତି । ଏପରି ଏକ ଫାଇଲରୁ ଏକଥା ଜଣାଯାଇଛି । ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ପ୍ରସଙ୍ଗରେ ନିକ୍ସନ କହିଥିଲେ ଯେ ଭାରତକୁ ଏକ ଉଚିତ ଶିକ୍ଷା ଦିଆଯିବା ଆବଶ୍ୟକ । କାରଣ ଭାରତ ଏକ ବଡ଼ ଦେଶ, ଏହାର ଜନସଂଖ୍ୟା (୧୯୭୧ରେ) ୬୦ କୋଟି । ମାତ୍ର ପାକିସ୍ତାନର ଜନସଂଖ୍ୟା ମାତ୍ର ୬ କୋଟି । ଭାରତକୁ ଉଚିତ ଶିକ୍ଷା ନଦେଲେ ବିଶ୍ୱର ବଡ଼ ଦେଶମାନେ ନିଜ ପାଖରେ ଥିବା ଛୋଟ ଦେଶମାନଙ୍କୁ ଗିଳିଦେବେ ।

ସମ୍ବନ୍ଧିତ ଖବର