ନୂଆଦିଲ୍ଲୀ/ଓଟାୱା: ଭାରତ-କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ତୀବ୍ର ହେବା ସହ ସଂପର୍କ ଖରାପ ହୋଇଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞଙ୍କ ସମ୍ପୃକ୍ତି ଅଛି ବୋଲି କାନାଡ଼ା କହିଛି। ଏନେଇ ତଦନ୍ତ ଆରମ୍ଭ କରିଛି। କାନାଡ଼ାର ଏଭଳି ଅଭିଯୋଗକୁ ଭାରତ ଭିତ୍ତିହୀନ କହିବା ସହ ଏହାକୁ କଡ଼ା ବିରୋଧ କରିଛି। ନୂଆଦିଲ୍ଲୀସ୍ଥିତ କାନାଡ଼ାର ବରିଷ୍ଠ କୂଟନୀତିଜ୍ଞଙ୍କୁ ମଧ୍ୟ ଭାରତ ସମନ୍ କରିଛି। ଅନ୍ୟପକ୍ଷେ କାନାଡ଼ାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଏବଂ ଅନ୍ୟ ବରିଷ୍ଠ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାପାଇଁ ଭାରତ ନିଷ୍ପତ୍ତି ନେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କାନାଡ଼ାରେ ବର୍ତ୍ତମାନର ସରକାର ଉପରେ ଆମର ଭରସା ନାହିଁ। ଟ୍ରୁଡ଼ୋ ସରକାରଙ୍କ କାର୍ଯ୍ୟକଳାପ ଆମ ଉଚ୍ଚାୟୁକ୍ତ ଏବଂ କୂଟନୀତିଜ୍ଞଙ୍କ ସୁରକ୍ଷାକୁ ବିପଦରେ ପକାଉଛି। ତେଣୁ ଭାରତ ସରକାର କାନାଡ଼ାରୁ ଏହାର ଉଚ୍ଚାୟୁକ୍ତ, ଅନ୍ୟ କୂଟନୀତିଜ୍ଞ ଓ ଅଧିକାରୀଙ୍କୁ ଫେରାଇ ଆଣିବାପାଇଁ ନିଷ୍ପତ୍ତି ନେଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ବିବୃତିରେ କୁହାଯାଇଛି ଯେ କାନାଡ଼ା ସରକାର ପକ୍ଷରୁ ଗତକାଲି ଭାରତକୁ କୂଟନୈତିକ ସ୍ତରରେ ଯୋଗାଯୋଗ କରାଯାଇଥିଲା। ଭାରତୀୟ ଉଚ୍ଚାୟୁକ୍ତ ଏବଂ ଅନ୍ୟ କୂଟନୀତିଜ୍ଞଙ୍କୁ ନିଜାର ହତ୍ୟା ମାମଲାରେ କାନାଡ଼ା ତଦନ୍ତ ପରିସରଭୁକ୍ତ କରିଥିବା କହିଛି। ଭାରତ କିନ୍ତୁ କାନାଡ଼ାର ଏଭଳି ଅଭିଯୋଗକୁ ଭାରତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଛି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ପ୍ରତି ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ଼ୋଙ୍କ ବିଦ୍ବେଷ ମନୋଭାବର ଅନେକ ପ୍ରମାଣ ରହିଛି। ଭାରତୀୟ ଉଚ୍ଚାୟୁକ୍ତଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ଟ୍ରୁ ଡ଼ୋ ସରକାରଙ୍କର ଏକ ରାଜନୈତିକ ଏଜେଣ୍ଡା। ଏହା ତାଙ୍କର ଭୋଟ୍ ବ୍ୟାଙ୍କ୍ ରାଜନୀତି। ଭାରତରେ ବିଚ୍ଛିନ୍ନତାବାଦକୁ ଖୋଲା ସମର୍ଥନ କରୁଥିବା ରାଜନୈତିକ ଦଳର ସମର୍ଥନ ଉପରେ ଟ୍ରୁଡ଼ୋ ସରକାର ନିର୍ଭର କରୁଛି ବୋଲି ଭାରତ କହିଛି।
କାନାଡ଼ାରୁ ଉଚ୍ଚାୟୁକ୍ତଙ୍କୁ ପ୍ରତ୍ୟାହାର ନିଷ୍ପତ୍ତି
ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଦନ୍ତ
ପରିସରଭୁକ୍ତ କଲା କାନାଡ଼ା
କାନାଡ଼ାର ୬ କୂଟନୀତିଜ୍ଞଙ୍କୁ
ବିଦାକଲା ଭାରତ
ବରିଷ୍ଠ କୂଟନୀତିଜ୍ଞଙ୍କୁ ଭାରତର ସମନ
ଏହି ଘଟଣା ପରେ କେନ୍ଦ୍ର ସରକାର କାନାଡ଼ାର ୬ ବରିଷ୍ଠ କୂଟନୀତିଜ୍ଞଙ୍କୁ ବିଦା କରିଛି। ସେମାନେ ହେଲେ ଷ୍ଟୁଆର୍ଟ ରସ୍ ହ୍ବିଲର (କାମଚଳା ଉଚ୍ଚାୟୁକ୍ତ), ପାଟ୍ରିକ ହବର୍ଟ( ଉପଉଚ୍ଚାଯୁକ୍ତ), ମେରି କ୍ୟାଥେଲିନ ଜଲି(ପ୍ରଥମ ସଚିବ), ଇଆନ ରସ ଡେଭିଡ ଟ୍ରାଇଟ୍ସ( ପ୍ରଥମ ସଚିବ), ଆଦାମ ଜେମ୍ସ ଚୁପ୍କା (ପ୍ରଥମ ସଚିବ), ପୌଲା ଅର୍ଜେଲା(ପ୍ରଥମ ସଚିବ)। ଅନ୍ୟପକ୍ଷରେ କାନାଡ଼ା ମଧ୍ୟ ଭାରତର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି।
କାନାଡ଼ା ଭାରତୀୟ ଉଚ୍ଚାୟୁକ୍ତ ସଂଜୟ କୁମାର ବର୍ମାଙ୍କୁ ଏହାର ତଦନ୍ତ ପରିସରଭୁକ୍ତ କରିଛି। କିନ୍ତୁ କାନାଡ଼ା ନିଜ ମାଟିରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ମୁକାବିଲା କରିବାରେ ବିଫଳ ହୋଇ ଭାରତୀୟ ଅଧିକାରୀଙ୍କୁ ବିନା ପ୍ରମାଣରେ ଫସାଇବାକୁ ଚେଷ୍ଟା କରୁଛି ବୋଲି ଭାରତ ଦାବି କରିଛି। ଉଲ୍ଲେଖଯୋଗ୍ୟ ଯେ ସଂଜୟ କୁମାର ବର୍ମା ହେଉଛନ୍ତି କାନାଡ଼ାରେ ଅବସ୍ଥାପିତ ଭାରତର ବରିଷ୍ଠତମ କୂଟନୀତିଜ୍ଞ। ୩୬ ବର୍ଷର ତାଙ୍କ କ୍ୟାରିୟରରେ ସେ ଜାପାନ ଏବଂ ସୁଦାନର ମଧ୍ୟ ଆମ୍ବାସାଡର ଭାବେ କାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ ୨୦୨୩ରେ ନିଜାର ହତ୍ୟା ଘଟଣା ପରେ ଭାରତ-କାନାଡ଼ା କୂଟନୈତିକ ସମ୍ପର୍କ ଜଟିଳ ହୋଇଯାଇଥିଲା। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ଼ୋ ସେ ସମୟରେ ଦାବି କରିଥିଲେ ଯେ ଏହି ହତ୍ୟା ଘଟଣାରେ ଭାରତୀୟ ଗୁଇନ୍ଦାର ହାତ ରହିଛି। ତେବେ ଭାରତ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲା। ସେବେଠାରୁ ଭାରତ-କାନାଡ଼ା କୂଟନୈତିକ ସମ୍ପର୍କ ତିକ୍ତ ହୋଇଥିବାବେଳେ ଏବେ କାନାଡ଼ାର ଏଭଳି କାର୍ଯ୍ୟକଳାପ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ଖରାପ କରିଦେଇଛି।