ଭାରତରେ କରୋନାର ୪ର୍ଥ ଲହର ଆସିବ ନାହିଁ : ବିଶେଷଜ୍ଞ

ନୂଆଦିଲ୍ଲୀ : ଯଦି କୌଣସି ନୂଆ ଭାରିଆଣ୍ଟ ନ ବାହାରେ ଭାରତରେ କରୋନାର ୪ର୍ଥ ଲହର ଆସିବାର ସମ୍ଭାବନା ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ମାକ୍ସ ହେଲଥକେୟାରର ଇଣ୍ଟର୍ନାଲ ମେଡିସିନ ବିଭାଗର ନିର୍ଦ୍ଦେଶକ ଡଃ ରୋମେଲ ଟିକୋ କହିଛନ୍ତି ଯଦି ଏକ ନୂଆ ଭାରିଆଣ୍ଟ ନ ବାହାରେ ତେବେ ଭାରତରେ କରୋନାର ୪ର୍ଥ ଲହର ଆସିବାର କୌଣସି ସମ୍ଭାବନା ନାହିଁ ।

ଦେଶରେ ଗତ କିଛି ଦିନ ହେଲା ବଢିଚାଲିଥିବା ସଂକ୍ରମଣ ସଂପର୍କରେ ସେ କହିଛନ୍ତି ଯେ, ଲୋକମାନେ ଏବେ ପୁଣି ଗମନାଗମନ ଓ ଭ୍ରମଣ ଆରମ୍ଭ କରିଦେଇଥିବାରୁ ଏପରି ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ମହାମାରୀ ଶେଷ ହୋଇଆସିଲାଣି, ଏହି କାରଣରୁ ଭାରତରେ ବଡ଼ ଧରଣର ସଂକ୍ରମଣ ବୃଦ୍ଧି ଦେଖିବାକୁ ମିଳିବ ନାହିଁ ।

ସୂଚନାଯୋଗ୍ୟ ଯେ, ଦେଶରେ ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ ରାଜ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସବୁ ରାଜ୍ୟର ପ୍ରମୁଖ ଶାସନ ସଚିବ ତଥା ସ୍ବାସ୍ଥ୍ୟ ସଚିବମାନଙ୍କୁ ଏକ ପତ୍ର ଲେଖି ସେ ଜଣାଇଛନ୍ତି ଯେ ଗତ ଦୁଇ ସପ୍ତାହ ହେଲା କେତେକ ରାଜ୍ୟରେ ପୁଣି ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଜୁନ ପ୍ରଥମ ସପ୍ତାହରେ ଦୈନିକ ହାରାହାରି ୪୨୦୭ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେହିପରି ସାପ୍ତାହିକ ପଜିଟିଭିଟି ହାର ବି ବଢିଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୭୨୪୦ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଓ ଏଗୁଡ଼ିକ ମଧ୍ୟରୁ ୮୧ ପ୍ରତିଶତ ୪ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଓ କର୍ଣ୍ଣାଟକରୁ ଚିହ୍ନଟ ହୋଇଛି ।

 

 

 

ସମ୍ବନ୍ଧିତ ଖବର