ନୂଆଦିଲ୍ଲୀ: ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଶେଷ ହେବା ପରେ ଏପ୍ରିଲ୍ ୧୫ ତାରିଖରୁ ପୁଣି ରେଳ ଚଳାଚଳ କରିବା ସଂକ୍ରାନ୍ତରେ ପ୍ରକାଶ ପାଇଥିବା ଗଣମାଧ୍ୟମ ରିପୋର୍ଟକୁ ଗୁରୁବାର ଦିନ ଭାରତୀୟ ରେଳବାଇ ଖଣ୍ଡନ କରିଛି ।
ଲକଡାଉନ୍ ଉଠଯିବା ପରେ ପୁଣି ରେଳ ସେବା ଆରମ୍ଭ ହେବା ପରେ ଯାତ୍ରୀମାନେ ନୂଆ ଯାତ୍ରା ନୀତି ଅନୁସରଣ କରିବେ ବୋଲି ଗଣମାଧ୍ୟମଗୁଡ଼ିକରେ ପ୍ରକାଶିତ ରିପୋର୍ଟକୁ ଭାରତୀୟ ରେଳବାଇ ଅସ୍ୱୀକାର କରିଛି ।
ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା, ଟ୍ରେନ୍ ଯାତ୍ରାର ନୂଆ ନିୟମ ଅନୁସାରେ, ଟ୍ରେନ୍ ଛାଡ଼ିବା ନିମନ୍ତେ ନିର୍ଦ୍ଧାରିତ ସମୟର ଚାରି ଘଣ୍ଟା ପୂର୍ବରୁ ଯାତ୍ରୀମାନଙ୍କୁ ଷ୍ଟେସନରେ ପହଞ୍ଚିବାକୁ ପଡ଼ିବ । ଟ୍ରେନ୍ ଚଢ଼ିବା ପୂର୍ବରୁ ସେମାନଙ୍କୁ ଥର୍ମାଲ୍ ସ୍କାନିଙ୍ଗ୍ କରାଯିବ । କିନ୍ତୁ, କେନ୍ଦ୍ର ରେଳ ମନ୍ତ୍ରାଳୟ ସ୍ପଷ୍ଟ କରି କହିଛି ଯେ ଭାରତୀୟ ରେଳବାଇ ଏଭଳି କୌଣସି ମାର୍ଗଦର୍ଶିକା ଜାରି କରିନାହିଁ ।
ବର୍ତ୍ତମାନ ପରିସ୍ଥିତିରେ ରେଳବାଇର ଯାତ୍ରୀମାନଙ୍କ ନିମନ୍ତେ ମାର୍ଗଦର୍ଶିକା ସମ୍ବନ୍ଧରେ କଳ୍ପନାଜଳ୍ପନା କରିବାର ସମୟ ଉପଗତ ହୋଇନାହିଁ । ଭାରତୀୟ ରେଳବାଇ ଏ ବିଷୟରେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବ । ଗୁଜବ ତଥା ବିଭ୍ରାନ୍ତିକର ରିପୋର୍ଟ ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ । ନିଷ୍ପତ୍ତି ଗୃହୀତ ହେବା ପରେ ସମସ୍ତଙ୍କ ଅବଗତି ନିମନ୍ତେ ତାହା ଜଣାଇ ଦିଆଯିବ ବୋଲି ରେଳବାଇ ସ୍ପଷ୍ଟୀକରଣ ଦେଇ କହିଛି ।