ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବନାହିଁ: ଯୋଗୀ

କାହା ସହିତ ଅନ୍ୟାୟ ହେବନାହିଁ, ଆଇନ ସହିତ ଖେଳିଥିବା କେହି ବି ନିସ୍ତାର ପାଇବେ ନାହିଁ

ଲକ୍ଷ୍ନୌ : ଲଖିମପୁର ହିଂସା ମାମଲାରେ କାହା ସହ କୌଣସି ପ୍ରକାର ଅନ୍ୟାୟ ହେବନାହିଁ ଏବଂ ଚାପରେ କିଛି କାର୍ଯ୍ୟପନ୍ଥା ଗ୍ରହଣ ହେବନାହିଁ ବୋଲି ଶୁକ୍ରବାର ଦିନନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ବିରୋଧୀ ଦଳ ନେତାମାନେ ଲଖିମପୁର ଖେରି ହିଂସା ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁ୍ଅଙ୍କୁ ଗିରଫ କରିବାକୁ ପ୍ରବଳ ଦାବି କରିଥିବା ବେ‌ଳେ ଯୋଗୀ କହିଛନ୍ତି ଚାପରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ ହେବନାହିଁ ଏବଂ ବିନା ପ୍ରମାଣରେ କାହା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଆଇନ ସହ ଖେଳିଥିବା କେହି ଜଣେ ବି ନିସ୍ତାର ପାଇବେନି ବୋଲି ଯୋଗୀ କହିଛନ୍ତି।

ଲଖିମପୁର ଖେରି ହିଂସା ଘଟଣାକୁ ଯୋଗୀ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି। ସରକାର ଏହି ମାମଲାର ଅତି ଗଭୀରତାକୁ ଯାଇଛନ୍ତି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଆଇନ ସମସ୍ତଙ୍କୁ ସୁରକ୍ଷାର ପ୍ରତିଶ୍ରୁତି ଦେଉଛି। ଉକ୍ତ ମାମଲାରେ ମନ୍ତ୍ରୀଙ୍କ ପୁଅଙ୍କୁ ସୁରକ୍ଷା ଦେବାପାଇଁ ଚେଷ୍ଟା କରାଯାଉଛି ବୋଲି ବିରୋଧୀ ଦଳ ନେତାମାନେ ଦାବି କରିଥିବା ବେଳେ ଯୋଗୀ କହିଛନ୍ତି, ଏନେଇ କୌଣସି ଭିଡିଓ ନାହିଁ। ଆମେ ନମ୍ବର ଜାରି କରିଛୁ। ଯଦି କାହା ପାଖରେ କିଛି ବି ପ୍ରମାଣ ଥାଏ ତେବେ ସେମାନେ ଏହାକୁ ଅପଲୋଡ୍‌ କରିପାରିବେ। ଏହାଦ୍ବାରା ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। କାହାର ଦାବି ଓ ଚାପ ଆଧାରରେ ଆମେ କାହାକୁ ଗିରଫ କରିପାରିବୁନି ବୋଲି ଯୋଗୀ କହିଛନ୍ତି।

ସମ୍ବନ୍ଧିତ ଖବର