ନୂଆଦିଲ୍ଲୀ: ପ୍ରାପ୍ତ ବୟସ୍କ ପୁଅ-ଝିଅ ଲିଭ୍-ଇନ୍ ସଂପର୍କରେ ରହିପାରିବେ। ବିବାହ ପାଇଁ ଆଇନ ଦ୍ୱାରା ନିର୍ଦ୍ଧାରିତ ବୟସ ୨୧ରେ ପହଞ୍ଚି ନଥିଲେ ମଧ୍ୟ ସାବାଳକ-ସାବାଳିକା ଲିଭ୍-ଇନ୍ ସଂପର୍କରେ ରହିପାରିବେ ବୋଲି ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିଛନ୍ତି। ବିବାହ ବୟସରେ ଉପନୀତ ହୋଇନଥିଲେ ମଧ୍ୟ ସେମାନେ ଲିଭ୍-ଇନ୍ ସଂପର୍କରେ ରହିବା ନେଇ ପୂର୍ଣ୍ଣ ଅଧିକାର ରହିଛି ଏବଂ ସେମାନଙ୍କୁ ଏଥିରୁ ବଞ୍ଚିତ କରିହେବ ନାହିଁ ବୋଲି କୋର୍ଟ କହିଛନ୍ତି। କେରଳ ହାଇକୋର୍ଟ ଏକ ମାମଲାରେ ପୁଅର ବୟସ ୨୧ ବର୍ଷରୁ କମ୍ ହୋଇଥିବା କାରଣରୁ ଲିଭ୍-ଇନ୍ ସଂପର୍କକୁ ନାମଂଜୁର କରି ଝିଅର ପିତାଙ୍କ ଆବେଦନକୁ ମଂଜୁର କରିଥିଲେ ଏବଂ ଝିଅକୁ ପିତାଙ୍କ ହେପାଜତରେ ରହିବାକୁ ଛାଡ଼ି ଦିଆଯାଇଥିଲା। ତେବେ ଏ ବାବଦରେ ସୁପ୍ରିମ୍ କୋର୍ଟ ପୁଅର ଆବେଦନ ସ୍ୱୀକାର କରି କେରଳ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିଛନ୍ତି ଏବଂ ଝିଅର ବୟସ ୧୮ ବର୍ଷରୁ ଅଧିକ ହୋଇଥିବାରୁ ଜଣେ ସାବାଳିକା ଭାବେ ତା’ର ନିଷ୍ପତ୍ତି ହିଁ ଏ କ୍ଷେତ୍ରରେ ନିର୍ଣ୍ଣାୟକ ବୋଲି କହିଛନ୍ତି। ୧୮ ବର୍ଷରୁ ଅଧିକ ବୟସର ସାବାଳିକା ଝିଅ ନିଜ ଇଛା ମୁତାବକ ରହିପାରିବ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି।