ଟିକା ନେବା ପରେ ଦୁଇ ମାସ ଯାଏଁ ପିଇବେ ନାହିଁ ମଦ, ନହେଲେ ହେବ ଏହି ଅସୁବିଧା

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ଋଷିଆ ସ୍ପୁଟନିକ୍ ଭି ନାମରେ କରୋନା ଟିକା ସୃଷ୍ଟି କରିଛି | ଫାଇଜର ଟିକା ପରି ଏହା ମଧ୍ୟ ଲୋକଙ୍କୁ ଦିଆଯାଉଛି | ଗତ ସପ୍ତାହରେ ମସ୍କୋରେ ଟୀକାକରଣ ଆରମ୍ଭ ହୋଇଥିଲା। ଆଉ ସ୍ପୁଟନିକ୍ ଭି ଟିକା ନେବା ପରେ ଦୁଇମାସ ପର୍ଯ୍ୟନ୍ତ ମଦ୍ୟପାନ ନକରିବାକୁ ଋଷ କର୍ତ୍ତୃପକ୍ଷ କହିଛନ୍ତି। ଆଉ ଏହାକୁ ନେଇ ବିବାଦ ବଢିଛି | ଟିକା ଏବଂ ମଦ୍ୟପାନ ମଧ୍ୟରେ ସମ୍ପର୍କ କ’ଣ ସେ ବିଷୟରେ ଏବେ ଅନେକ ଲୋକ ପ୍ରଶ୍ନ ପଚାରିବାରେ ଲାଗିଛନ୍ତି | ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କୋଭିଡ -୧୯ ରୋଗୀଙ୍କ ପାଇଁ ଏହା ଏକ ପ୍ରତିଷେଧକ ହୋଇଥିବାବେଳେ ପ୍ରତିରକ୍ଷା ପ୍ରଣାଳୀ(ଇମ୍ୟୁନୋ ସିଷ୍ଟମ) କୁ ଦୃଢ ରଖିବା ପାଇଁ ମଦ୍ୟପାନରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ଲୋକମାନେ କହିଛନ୍ତି ଯେ ଋଷ କର୍ତ୍ତୃପକ୍ଷ ମଦ୍ୟପାନ ଏବଂ କରୋନା ଟିକା ମଧ୍ୟରେ ସମ୍ପର୍କ କ’ଣ ଏହାର ସଠିକ୍ ବ୍ୟାଖ୍ୟା ଦେବା ଉଚିତ୍। ବିଶେଷଜ୍ଞମାନେ କହୁଛନ୍ତି ଯେ ଦୁଇମାସ ପର୍ଯ୍ୟନ୍ତ ମଦ୍ୟପାନରୁ ଦୂରେଇ ରହିବା ପାଇଁ ଏହା ଗୋଟିଏ ପରାମର୍ଶ ହୋଇପାରେ କାରଣ ଦୁଇମାସ ଟୀକାକରଣ ପରେ ଏହି ଟିକା କାମ ଆରମ୍ଭ କରିବ। ତେଣୁ ଦୁଇ ମାସ ପାଇଁ ଟିକା ନେଉଥିବା ଲୋକମାନେ ସତର୍କ ହେବା ଉଚିତ୍। ନିଜ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବା କିଛି ଖାଦ୍ୟ ଓ ପାନୀୟ ନେବା ଉଚିତ୍ ନୁହେଁ | ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀମାନେ କହିଛନ୍ତି ଯେ ମଦ୍ୟପାନ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରେ |

ଯଦି ଲୋକମାନେ ଟିକା ନେବା ପରେ ମଦ୍ୟପାନ କରନ୍ତି, ତେବେ ଟିକା ପ୍ରଭାବ ହ୍ରାସ ହୋଇପାରେ | ସୂଚନା ଥାଉ କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଋଷ ବିଶ୍ୱର ଚତୁର୍ଥ ଦେଶ ଯେଉଁଠାରେ ସର୍ବାଧିକ ଲୋକ ମଦ୍ୟପାନ କରନ୍ତି । ଋଷିଆରେ ଜଣେ ସାଧାରଣ ବ୍ୟକ୍ତି ବର୍ଷକୁ ୧୫.୧ ଲିଟର ମଦ୍ୟପାନ କରନ୍ତି | ଋଷର ଆକଳନ ଅନୁଯାୟୀ ଏପର୍ଯ୍ୟନ୍ତ ୧ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଗତ ସପ୍ତାହରେ ମସ୍କୋରୁ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା |

ସମ୍ବନ୍ଧିତ ଖବର