ପ୍ରଧାନମନ୍ତ୍ରୀ ହେବା ଅଭିଳାଷ ନାହିଁ: ନୀତୀଶ

ବିରୋଧୀଙ୍କୁ ଏକଜୁଟ ପାଇଁ କାମ କରୁଛି

ନୂଆଦିଲ୍ଲୀ : ବିଜେପି ସହ ମେଣ୍ଟ ଭାଙ୍ଗି ନିକଟରେ ଆର୍‌ଜେଡି ସହ ହାତ ମିଳାଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି କହିଛନ୍ତି, ପ୍ରଧାନମନ୍ତ୍ରୀ ହେବାପାଇଁ ତାଙ୍କର କୌଣସି ଅଭିଳାଷ ନାହିଁ । ମୁଁ ହାତ ଯୋଡ଼ି ଏହା କହିବାକୁ ଚାହୁଛି ଯେ ପ୍ରଧାନମନ୍ତ୍ରୀ ହେବାର ମୋର କୌଣସି ଲକ୍ଷ୍ୟ ନାହିଁ। ବିରୋଧୀଙ୍କୁ ଏକଜୁଟ କରିବାପାଇଁ ମୁଁ କାମ କରୁଛି। ମୋର କାମ ହେଲା ସମସ୍ତଙ୍କ ପାଇଁ କାମ କରିବା। ସମସ୍ତ ବିରୋଧୀ ଦଳ କିଭଳି ମିଳିତ ଭାବେ କାମ କରିବେ ତା’ ଉପରେ ମୁଁ ଫୋକସ୍‌ କରୁଛି। ଯଦି ସମସ୍ତ ବିରୋଧୀ ଦଳ ମିଳିତ ଭାବେ କାମ କରିବେ ତେବେ ଏହା ଖୁବ୍‌ ଭଲ ହେବ ବୋଲି ନୀତୀଶ କହିଛନ୍ତି। ପାଟନାରେ ଆଜି ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ନୀତୀଶ ଏହି ଟିପ୍ପଣୀ ଦେବା ସହ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କର ଅଭିଳାଷ ଥିବା ସଂକ୍ରାନ୍ତରେ ଯେଉଁ ଚର୍ଚ୍ଚା ହେଉଛି ସେଥିରେ ପୂର୍ଣ୍ଣଛେଦ ପକାଇବା ପାଇଁ ଉଦ୍ୟମ କରିଛନ୍ତି।

ନୀତୀଶ-ତେଜସ୍ବୀଙ୍କ ମିଶ୍ରଣ ପଛରେ ପିଏଫ୍‌ଆଇର ହାତ

ପାଟନା : ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗି ନୀତୀଶ ତେଜସ୍ବୀଙ୍କ ସହ ମିଶି ସରକାର ଗଠନ କରିଛନ୍ତି। ଏହି ପ୍ରସଙ୍ଗରେ ବିହାର ବିଜେପି ମୁଖ୍ୟ ସଂଜୟ ଜୟସ୍ବାଲ୍‌ ଏକ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ କରିଛନ୍ତି। ସଂଜୟ କହିଛନ୍ତି, ନୀତୀଶ ଏବଂ ତେଜସ୍ବୀଙ୍କ ମିଶ୍ରଣ ପଛରେ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ ଇଣ୍ଡିଆ)ର ହାତ ଅଛି। ବିହାର ଏବେ ଏକ ସ୍ଲିପର ସେଲ୍‌ରେ ପରିଣତ ହୋଇଛନ୍ତି। ବେଟିୟା ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ସଂଜୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତ ଜୁଲାଇରେ ବିହାରରେ ଏକ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ କରାଯାଇଥିଲା। ତଦନ୍ତ ଭାର ଏନ୍‌ଆଇଏକୁ ହସ୍ତାନ୍ତର କରିବା ସମୟରେ ଏଥି‌ରେ ପିଏଫ୍‌ଆଇ ସମ୍ପୃକ୍ତି ଥିବା ପର୍ଦ୍ଦାଫାସ ହୋଇଥିଲା।

ସମ୍ବନ୍ଧିତ ଖବର