କୋଲକାତା: ମହାମାରୀ କରୋନା ସଙ୍କଟବେଳେ ସହଯୋଗର ହାତ ବଢ଼ାଇ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ତୃଣମୂଳ ନେତା। ଜଣେ ସମ୍ଭାବ୍ୟ କରୋନା ରୋଗୀଙ୍କୁ ଆମ୍ବୁଲାନ୍ସ ନ ମିଳିବାରୁ ପିପିଇ କିଟ୍ ପିନ୍ଧି ମଟର ସାଇକଲରେ ବସାଇ ନେତା ଜଣକ ଡାକ୍ତରଖାନା ନେଇ ଯାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଭଳି ଉଦ୍ୟମକୁ ସବୁସ୍ତରରେ ପ୍ରଶଂସାର ସୁଅ ଛୁଟିଛି। ଝାଡ଼ଗ୍ରାମ ସିଜୁଆ ଗ୍ରାମର ଅମଲ ବାରିକ (୪୩) ଜଣେ ପ୍ରବାସୀ ଶ୍ରମିକ। ବାହାର ରାଜ୍ୟରେ କାମ କରୁଥିଲେ। କିଛିଦିନ ପୂର୍ବେ ସେ ଘରକୁ ଫେରିଥିଲେ। ତାଙ୍କୁ ଜର ହେଉଥିଲା ଏବଂ କରୋନାର ଲକ୍ଷଣ ମଧ୍ୟ ଦେଖା ଦେଇଥିଲା । ଜର ନ ଛାଡ଼ିବାରୁ କାଳେ କରୋନାରେ ସଂକ୍ରମିତ ହୋଇଥିବେ ତେଣୁ ଡାକ୍ତରଖାନା ଯିବାକୁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ତାଙ୍କ ପତ୍ନୀ ଓ ଦୁଇ ପିଲା ମଧ୍ୟ ବହୁ ଚେଷ୍ଟା ସତ୍ତ୍ବେ ଆମ୍ବୁଲାନ୍ସ ଯୋଗାଡ଼ କରିପାରି ନଥିଲେ।
ଏ ଖବର ଶୁଣି ଗୋପୀବଲ୍ଲଭପୁରର ତୃଣମୂଳ ଯୁବମୋର୍ଚ୍ଚା ଅଧ୍ୟକ୍ଷ ସତ୍ୟକାମ ପଟ୍ଟନାୟକ ଜଣେ ଫାର୍ମାସୀଙ୍କଠାରୁ ଏକ ପିପିଇ କିଟ୍ କିଣି ବାଇକ ଧରି ଅମଲଙ୍କ ଘରେ ପହଞ୍ଚିଥିଲେ। ସତ୍ୟକାମ ପିପିଇ କିଟ୍ ପିନ୍ଧି ମଟର ସାଇକଲ ପଛରେ ଅମଲଙ୍କୁ ବସାଇ ତାଙ୍କ ଘରଠାରୁ ୩ କିଲୋମିଟର ଦୂରରେ ଥିବା ଏକ କୋଭିଡ୍ କେୟାର ସେଣ୍ଟରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଅମଲଙ୍କ ଚେକ୍ଅପ୍ କରିଥିଲେ। ସ୍ବାବ୍ ସାମ୍ପଲ୍ ସଂଗ୍ରହ କରିଥିଲେ। କିଛି ଔଷଧ ଦେଇ ଘରକୁ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ହୋମ୍ କ୍ବାରାଣ୍ଟିନ୍ରେ ରହିବାକୁ ଅମଲଙ୍କୁ କୁହାଯାଇଥିଲା। ତା’ପରେ ଅମଲଙ୍କୁ ପୁଣି ମଟର ସାଇକଲରେ ବସାଇ ତାଙ୍କ ନେଇ ଛାଡ଼ିଥିଲେ ସତ୍ୟକାମ। କରୋନାକୁ ଲୋକେ ଭୟ କରୁଥିବାବେଳେ ସତ୍ୟକାମଙ୍କ ଏଭଳି ମହତ୍ କାର୍ଯ୍ୟ ବାସ୍ତବିକ ପ୍ରଶଂସନୀୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/tmc-leader.jpg)