ଚୀନ ଟିକାକୁ ମଞ୍ଜୁରୀ ଦେଲା ନାହିଁ ଶ୍ରୀଲଙ୍କା, ଭାରତକୁ ଦେଲା କରୋନା ଟିକାର ଅର୍ଡର

କଲମ୍ବୋ: ଚୀନକୁ ବଡ ଝଟକା ଦେଇଛି ଶ୍ରୀଲଙ୍କା | ଶ୍ରୀଲଙ୍କା ଚୀନରେ ନିର୍ମିତ କରୋନା ଟିକା ସିନୋଫର୍ମକୁ ବ୍ୟବହାର କରିବାକୁ ମନା କରିଦେଇଛି | ଶ୍ରୀଲଙ୍କା ସିନୋଫର୍ମ ଟିକାକୁ ମଞ୍ଜୁରୀ ଦେବାକୁ ମନା କରିଥିବାବେଳେ ଶ୍ରୀଲଙ୍କା କ୍ୟାବିନେଟର ସହପ୍ରବକ୍ତା ଡାକ୍ତର ରମେଶ ପାଥିରାନା କହିଛନ୍ତି ଚୀନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେ କହିଛନ୍ତି ଯେ ସିନୋଫର୍ମ ଟିକା ପଞ୍ଜିକରଣ ବିଷୟରେ ସେ ସମ୍ପୂର୍ଣ୍ଣ ସୂଚନା ମଧ୍ୟ ପାଇନାହାଁନ୍ତି। ମୁଖପାତ୍ର କହିଛନ୍ତି ଯେ ଶ୍ରୀଲଙ୍କା ବର୍ତ୍ତମାନ ଅକ୍ସଫୋର୍ଡର କରୋନା ଟିକା ଉପରେ ନିର୍ଭର କରିବ ଏବଂ ୪୦ ଲକ୍ଷ ଲୋକଙ୍କୁ ଏହି ଟିକା ଦିଆଯିବ ।

ଶ୍ରୀଲଙ୍କା ଭାରତର ସିରମ ଇନଷ୍ଟିଚ୍ୟୁଟକୁ ଅକ୍ସଫୋର୍ଡ-ଆଷ୍ଟ୍ରୋଜେନେକା ଟିକା ପାଇଁ ୧୩.୫ ନିୟୁତ ଡୋଜ ଅର୍ଡର କରିଛି। ଏହାପୂର୍ବରୁ ଭାରତ ଶ୍ରୀଲଙ୍କାକୁ ପାଞ୍ଚ ଲକ୍ଷ ଟିକା ଉପହାର ସ୍ୱରୂପ ଦେଇଥିଲା। ଡାକ୍ତର ରମେଶ କହିଛନ୍ତି, ଆଷ୍ଟ୍ରୋଜେନେକା ଟିକାକୁ ନେଇ ଶ୍ରୀଲଙ୍କା ସରକାର ଆଗକୁ ବଢିବେ ଓ ଚାଇନାର ଟିକା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପାଇବା ପରେ ହିଁ ସେତେବେଳେ ଏହାକୁ ମଞ୍ଜୁରୀ କରିବାକୁ ବିଚାର କରାଯିବ ।

ଡାକ୍ତର ରମେଶଙ୍କ କହିବା ମୁତାବକ ଚୀନ୍ ଟିକା ପଞ୍ଜିକରଣ କରିବାକୁ ସମୟ ଲାଗିବ କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଅନୁମୋଦନ କରିନାହାଁନ୍ତି ଏବଂ ଚୀନ୍ ଟିକା ବର୍ତ୍ତମାନ ସୁଦ୍ଧା ସମୀକ୍ଷା ଚାଲିଛି | ସୂଚନା ଥାଉ କି ଭାରତ ଶ୍ରୀଲଙ୍କାକୁ ଉପହାର ସ୍ୱରୂପ ପାଞ୍ଚ ଲକ୍ଷ ଟିକା ଦେଇଥିଲା । ଆଉ ଏହା ପରେ ଗତ ଜାନୁଆରୀରେ ଶ୍ରୀଲଙ୍କାରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର