ପି ଚିଦମ୍ବରମଙ୍କୁ ଝଟ୍‌କା: ଆଇଏନ୍‌ଏକ୍ସ ମାମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣିକୁ ଆସନ୍ତାକାଲିକୁ ରଖିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିିତ ଆଇଏନ୍‌ଏକ୍ସ ଦୁର୍ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କୁ ଆଜି ଲାଗିଛି ଝଟ୍‌କା। ଚିଦମ୍ବରମ୍‌ଙ୍କ ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଆଜି ଖାରଜ କରି ଦେବାପରେ, ନିଜ ଗିରଫଦାରୀକୁ ଏଡ଼ାଇବା ପାଇଁ ଚିଦମ୍ବରମ୍‌ ଆଜି ଅପରାହ୍ଣରେ ସଙ୍ଗେ ସଙ୍ଗେ ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଚିଦମ୍ବରଙ୍କ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ବରିଷ୍ଠ ଆଇନ୍‌ଜୀବୀ କପିଲ ଶିବଲ୍‌ ସୁପ୍ରିମ୍‌ କୋର୍ଟରେ ଆଉ ଏକ ଆଗୁଆ ଜାମିନ ଆବେଦନ ଦାଖଲ କରି ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିଥିଲେ। ହେଲେ, ସୁପ୍ରିମ୍‌ କୋର୍ଟ ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରିଥିଲେ ମଧ୍ୟ ଏହାର ଶୁଣାଣି କାଲି କରିବେ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଇଏନ୍‌ଏକ୍ସ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ପୁତ୍ର କର୍ତ୍ତୀ ଚିଦମ୍ବରମ୍‌ ୩୦୫ କୋଟି ଟଙ୍କାର ଲାଞ୍ଚ କାରବାର କରିଥିଲେ। ଏହି ଘଟଣାରେ ପି ଚିଦମ୍ବରମ୍‌ ତାଙ୍କ ପୁତ୍ର କର୍ତ୍ତୀଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ। ଏହି ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବରୁ ପି ଚିଦମ୍ବରମ୍‌ଙ୍କୁ ୭ରୁ ୮ ଥର ଜେରା ମଧ୍ୟ କରି ସାରିଛନ୍ତି।

ତେବେ, କାଳେ ଏହି ମାମଲାରେ କାଳେ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିବେ, ସେଇ ଆଶଙ୍କାରେ ସେ ଦିଲ୍ଲୀ ହାଇକୋର୍ଟରେ ଆଗିଆ ଜାମିନ ପାଇଁ ଆବେଦନ କରିଥିଲେ। ଆଜି ଏହି ଆଗୁଆ ଜାମିନ ଆବେଦନର ଶୁଣାଣି ଚାଲିଥିବା ବେଳେ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆଗୁଆ ଜାମିନ ଆବେଦନର ଘୋର ବିରୋଧ କରାଯାଇଥିଲା ଏବଂ ଅଭିଯୁକ୍ତ ପି ଚିଦମ୍ବରମଙ୍କୁ ଗିରଫ କରି ହାଜତ ଭିତରେ ଜେରା କରାଯିବାର ଆବଶ୍ୟକତା ରହିଛି ବୋଲି ଦର୍ଶା ଯାଇଥିଲା। ତଦନ୍ତକାରୀ ସଂସ୍ଥା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁକ୍ତି ଶୁଣିବା ପରେ ଅଦାଲତ ଚିଦମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।

ସମ୍ବନ୍ଧିତ ଖବର