ଅମୃତସର: ପଂଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବହୁତ ବଡ଼ ତ୍ରୁଟି ହେବା ଏବଂ ପ୍ରଧାନମନ୍ତ୍ରୀ ରୢାଲି ରଦ୍ଦ କରି ଫେରିଯିବା ଘଟଣା ନେଇ ବିଜେପି ରାଜ୍ୟର କଂଗ୍ରେସ ନେତୃତ୍ବାଧୀନ ସରକାରକୁ ଘେରିଛି। ଏ ନେଇ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଆଜି ଏକ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷାରେ କୌଣସି ତ୍ରୁଟି ହୋଇନାହିଁ କି ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ ପାଇଁ କୌଣସି ଉଦ୍ୟମ ହୋଇନି। ସେ ମଧ୍ୟ ‘ଶାନ୍ତିପୂର୍ଣ୍ଣ’ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଚନ୍ନି କହିଛନ୍ତ, କୃଷକମାନେ ଗତ ଗୋଟିଏ ବର୍ଷ ଧରି ଆନ୍ଦୋଳନ କରିଛନ୍ତି। ଗତକାଲି ସାରାରାତି କୃଷକଙ୍କ ସହ କଥାବାର୍ତ୍ତା ପରେ କୃଷକମାନେ ଆନ୍ଦୋଳନ ବନ୍ଦ କରିଥିଲେ। କିନ୍ତୁ ଆଜି ସକାଳେ ହଠାତ୍ କୃଷକମାନେ ରାସ୍ତା ଅବରୋଧ କରିନେଲେ। ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଆଣିବାପାଇଁ ବିମାନବନ୍ଦର ଯିବାର ଥିଲା। କିନ୍ତୁ ମୋ ବିଭାଗର କିଛି ଅଧିକାରୀ ଏବଂ ମୋର ଜଣେ ଘନିଷ୍ଠ ସହଯୋଗୀ କରୋନା ସଂକ୍ରମିତ ହୋଇଥିବାରୁ ମୁଁ ବିମାନବନ୍ଦର ଗଲିନାହିଁ। ଏହି ଦାୟିତ୍ବ ସେ ଅର୍ଥମନ୍ତ୍ରୀ ମନପ୍ରିତ ସିଂହଙ୍କୁ ଦେଇଥିଲେ ବୋଲି କହିଛନ୍ତି।
ଚନ୍ନି କହିଛନ୍ତି, ଆନ୍ଦୋଳନରତ କୃଷକଙ୍କ ସହ କଥାବାର୍ତ୍ତା ପରେ ଆମେ ରୢାଲି ହେବା ସ୍ଥାନ ଖାଲି କରିଥିଲୁ। ମୋଦୀଙ୍କ କାର୍ଯ୍ୟକ୍ରମ ଭଟିଣ୍ଡାରୁ ଫିରୋଜପୁରକୁ ଥିଲା। ମୋଦୀ ବିମାନ ଯୋଗେ ଯାଇଥାନ୍ତେ। କିନ୍ତୁ ଖରାପ୍ ପାଗ ଯୋଗୁଁ ପ୍ରଧାନମନ୍ତ୍ରୀ ବିମାନରେ ନଯାଇ ସଡ଼କ ପଥରେ ଯିବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏସଂକ୍ରାନ୍ତରେ ଆମ ପାଖରେ କୌଣସି ଖବର ନଥିଲା ବୋଲି ଚନ୍ନି କହିଛନ୍ତି। ପ୍ରଧାନମନ୍ତ୍ରୀ ରୢାଲି କରିନପାରି ଫେରି ଯାଇଥିବାରୁ ଚନ୍ନି ଦୁଃଖ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ଫିରୋଜପୁର ଏସ୍ଏସ୍ପି ନିଲମ୍ବିତ ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/s6f54h65sf4hsf65hsfsfhsfh.jpg)