ଆଶାରାମ ବାପୁଙ୍କୁ ଝଟକା, ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏବେ ବି ଜେଲରୁ ମୁକୁଳିପାରିବେନି ବିବାଦୀୟ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁ | ସୁପ୍ରିମକୋର୍ଟ ଆଶାରାମଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଯୌନଉତ୍ପୀଡ଼ନ ମାମଲାରେ ଜାମିନ ଦେବାକୁ ମନା କରିଛନ୍ତି | ନ୍ୟାୟମୂର୍ତ୍ତି ଏନବି ରମାନାଙ୍କ ଖଣ୍ଡପୀଠକୁ ଗୁଜୁରାଟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ ମାମଲାକୁ ନେଇ ଏବେ ବି ୨୧୦ ଜଣ ସାକ୍ଷୀଙ୍କର ବୟାନ ନେବାକୁ ବାକି ଅଛି |

ମାନ୍ୟବର ସୁପ୍ରିମକୋର୍ଟ ଜାମିନ ଆବେଦନକୁ ଖାରଜ କରିବା ସହ ନିମ୍ନ ଅଦାଲତରେ ଟ୍ରାୟଲ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଏଠାରେ ସୂଚନା ଥାଉ କି ସୁରଟରେ ରହୁଥିବା ଦୁଇ ଭଉଣୀ ଆଶାରାମ ଓ ତାଙ୍କ ପୁଅ ନାରାୟଣ ସାଇଙ୍କ ବିରୋଧରେ ଦୁଷ୍କର୍ମ ଓ ଅପହରଣ କରି ରଖିବା ଭଳି ଅଭିଯୋଗ ଆଣିଥିଲେ | ଏହାପୂର୍ବରୁ ଆଶାରାମ ଉଚ୍ଚ ନ୍ୟାୟାଳୟରେ ଆଜୀବନ କାରାଦଣ୍ଡକୁ ଖାରଜ କରିବା ପାଇଁ ଯାଚିକା ଦାୟର କରିଥିଲେ | ତେବେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ସହ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ |

ଆଶାରାମଙ୍କ ନାମରେ ପୂର୍ବରୁ ଦୁଷ୍କର୍ମ ସହ ହତ୍ୟା ମାମଲା ରୁଜୁ ହୋଇଛି | ଏହି ମାମଲାରେ ଆଶାରାମ ଜେଲ ଭିତରେ ଅଛନ୍ତି | ଯୋଧପୁର ଅଦାଲତ ରାଜସ୍ଥାନରେ ୨୦୧୩ରେ ୧୬ ବର୍ଷୀୟ ଝିଅ ସହ ଦୁଷ୍କର୍ମ ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ | ନାବାଳିକା ଜଣକ ଅଭିଯୋଗ କରିଥିଲେ ଯେ ଯୋଧପୁର ଆଶ୍ରମକୁ ତାଙ୍କୁ ଡକାଯିବା ପରେ ତାଙ୍କୁ ଆଶାରାମ ଓ ଅନ୍ୟ ୪ ଜଣ ସହଯୋଗୀ ଦୁଷ୍କର୍ମ କରିଥିଲେ |

ସମ୍ବନ୍ଧିତ ଖବର