ବେଡ୍‌ ନାହିଁ କି ଆମ୍ବୁଲାନ୍ସ ନାହିଁ, ଚିକିତ୍ସାରୁ ବଞ୍ଚିତ ପ୍ରଫେସର୍ ଆଖି ବୁଜିଲେ

ଅହମଦାବାଦ୍‌: ଗୁଜରାଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନାନୋସାଇନ୍ସ ସ୍କୁଲ୍‌ର ଡିନ୍‌ ପ୍ରଫେସର ଇନ୍ଦ୍ରାଣୀ ବାନାର୍ଜୀ ସଠିକ୍‌ ସମୟରେ କୋଭିଡ୍‌ ଚିକିତ୍ସାରୁ ବଂଚିତ ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ସୂଚନାନୁଯାୟୀ, ପ୍ରଫେସର ଇନ୍ଦ୍ରାଣୀ ଗତ ଶୁକ୍ରବାର ସନ୍ଧ୍ୟାରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଅକ୍ସିଜେନ୍‌ ସ୍ତର କମିଯାଇଥିଲା। ପ୍ରଫେସରଙ୍କ ଛାତ୍ରଛାତ୍ରୀମାନେ ତାଙ୍କୁ ପ୍ରଥମେ ଗାନ୍ଧୀନଗର ସ୍ଥିତ ଏକ ସିଭିଲ୍‌ ହସ୍ପିଟାଲ୍‌ ନେଇଥିଲେ। କିନ୍ତୁ ଉକ୍ତ ହସ୍ପିଟାଲ୍‌ରେ କୌଣସି ବି ବେଡ୍ ଖାଲି ନଥିଲା। ଏହାପରେ ଇନ୍ଦ୍ରାଣୀ ତାଙ୍କୁ କୌଣସି ଏକ ଘରୋଇ ହସ୍ପିଟାଲ୍‌ ନେବାପାଇଁ ତାଙ୍କର ସହକର୍ମୀମାନଙ୍କୁ ଅନୁରୋଧ କରିଥିଲେ। ତାଙ୍କୁ ଗାନ୍ଧୀନଗର ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ସେଠାରେ ଅକ୍ସିଜେନ୍‌ ଏବଂ ଭେଣ୍ଟିଲେଟର ନଥିଲା । ପରେ ତାଙ୍କୁ ଅହମଦାବାଦ୍‌ ମୁନସିପାଲ୍‌ କର୍ପୋ‌ରେସନ୍‌ କୋଭିଡ୍‌ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ଏହି ହସ୍ପିଟାଲ୍‌ରେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ପ୍ରଫେସର ଇନ୍ଦ୍ରାଣୀଙ୍କର ଚିକିତ୍ସା ହୋଇପାରିଲାନି। ଇଏମ୍‌ଆରଆଇ ୧୦୮ ଆମ୍ବୁଲାନ୍ସରେ ଅଣାଯାଇନଥିବାରୁ ହସ୍ପିଟାଲ୍‌ ଇନ୍ଦ୍ରାଣୀଙ୍କୁ ଫେରାଇ ଦେଇଥିଲା। ଶେଷରେ ଇନ୍ଦ୍ରାଣୀଙ୍କୁ ପୁଣି ଗାନ୍ଧୀନଗର ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ସେତେବେଳକୁ ତାଙ୍କ ଅକ୍ସିଜେନ୍‌ ସ୍ତର ୬୦ ପ୍ରତିଶତକୁ କମିଯିବାରୁ ତାଙ୍କର ମୃତ୍ୟୁ ହୋଇଗଲା।

ସମ୍ବନ୍ଧିତ ଖବର