ମଣ୍ଡପକୁ ଜିନ୍ସ ପିନ୍ଧି ଆସୁଥିବା ଝିଅଙ୍କୁ କେହି ବିବାହ କରିବେ ନାହିଁ: ମନ୍ତ୍ରୀ ସତ୍ୟପାଲ ସିଂହ

ଲକ୍ଷ୍ନୌ: ଝିଅମାନଙ୍କ ପୋଷାକକୁ ନେଇ ରବିବାର ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ପାଲଟିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସତ୍ୟପାଲ୍‌ ସିଂହ। ସେ କହିଛନ୍ତି ଯେ ଯେଉଁ ଝିଅମାନେ ବିବାହ ମଣ୍ଡପକୁ ଜିନ୍ସ ପରିଧାନ କରି ଆସୁଛନ୍ତି ସେମାନଙ୍କୁ କେଉଁ ପୁଅ ବିବାହ କରିବେ ନାହିଁ। ଗୋରଖପୁରର ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତରେ ମନ୍ତ୍ରୀ ସତ୍ୟପାଲ ଆହୁରି ବି କହିଛନ୍ତି ଯେ ନିଜର ପାରମ୍ପରିକ ପୋଷାକକୁ ଅବହେଳା କରୁଥିବା ବ୍ୟକ୍ତି କେବେ ସନ୍ଥ ହୋଇପାରେନା।

ଭାରତୀୟ ସଂସ୍କୃତିରେ କେଉଁ ସ୍ଥାନକୁ କିଭଳି ପୋଷାକ ପିନ୍ଧି ଯିବା ଉଚିତ ସେଥିପ୍ରତି ସଚେତନ ହେବାକୁ ସେ କହିଛନ୍ତି। ମହାରଣା ପ୍ରତାପ ଶିକ୍ଷା ପରିଷଦ(ଏମ୍‌ପିଏସ୍‌ପି) ସ୍ଥାପନ ଦିବସରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇ ସେ ହିନ୍ଦୁ ସଂସ୍କୃତି, ଶିକ୍ଷା ଓ ସ୍ୱାସ୍ଥ୍ୟର ମହତ୍ତ୍ୱ ସଂପର୍କରେ ମନ୍ତବ୍ୟ ଦେଇଛନ୍ତି। ମଠ ଏବଂ ମନ୍ଦିର ଶିକ୍ଷା ଗ୍ରହଣ କରିବାର କେନ୍ଦ୍ରସ୍ଥଳୀ ବୋଲି ସେ ମତ ରଖିଛନ୍ତିି।

ସତ୍ୟପାଲ୍‌ ଏହି ଅବସରରେ ଆଦିତ୍ୟନାଥଙ୍କ ଉପସ୍ଥିତରେ ଦୁଇଟି ପୁସ୍ତକ ମଧ୍ୟ ଉନ୍ମୋଚନ କରିଛନ୍ତି। ପ୍ରଥମଟି ହେଉଛି ‘ଭାରତୀୟ ସଂସ୍କୃତି’ ଏବଂ ଦ୍ୱିତୀୟଟି ହେଉଛି ‘ଗୋରକ୍‌ସ୍ପିତ୍‌: ଯୋଗ ଏବଂ ସନ୍ଥ ପରମ୍ପରା’। ଏହି ଦୁଇଟି ଯାକ ପୁସ୍ତକ ହେଉଛି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କର।

ସମ୍ବନ୍ଧିତ ଖବର