ନୂଆଦିଲ୍ଲୀ: ନୂଆଦିଲ୍ଲୀର ‘କେନ୍ଦ୍ରୀୟ ଭିସ୍ତା’ ଅଞ୍ଚଳର ନବୀକରଣ ଯୋଜାନରେ ଥିବା କୋଠାବାଡ଼ିଗୁଡ଼ିକ ୪୨ ମିଟର ଉଚ୍ଚତାବିଶିଷ୍ଟ ‘ଇଣ୍ଡିଆ ଗେଟ୍’ଠାରୁ ଉଚ୍ଚ ହେବ ନାହିଁ ବୋଲି ମଙ୍ଗଳବାର ଦିନ ବରିଷ୍ଠ ସରକାରୀ ଅଧିକାରୀମାନେ କହିଛନ୍ତି। ନୂତନ ଅଟ୍ଟାଳିକାଗୁଡ଼ିକୁ ଗୋଟିଏ ଢାଞ୍ଚାରେ ତିଆରି କରିବା ନିମନ୍ତେ ଏ ଭଳି ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ରୀୟ ଭିସ୍ତାରେ ରହିବ ଗୋଟାଏ ସାଧାରଣ ସଚିବାଳୟ, ନୂଆ ପାର୍ଲାମେଣ୍ଟ୍ ପରିସର ଏବଂ ପୁଣି ଥରେ ନୂତନ ନକ୍ସା ଅନୁସାରେ ତିଆରି ରାଜପଥ। ଏ ଅଞ୍ଚଳରେ ଥିବା କେତେକ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ଭଙ୍ଗାଯିବ।
ଗୃହ ନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ୱରେ ଥିବା ଏହି ଯୋଜନା ଅନୁସାରେ, ୨୦୨୨ ମସିହାରେ ହେବାକୁ ଥିବା ଭାରତର ୭୫ତମ ସ୍ୱାଧୀନତା ଦିବସ ପୂର୍ବରୁ ନୂଆ ପାର୍ଲାମେଣ୍ଟ୍ ତିଆରି ସରିବ; ଏବଂ ୨୦୨୪ ସୁଦ୍ଧା ‘କେନ୍ଦ୍ରୀୟ ଭିସ୍ତା’ର ଅନ୍ୟାନ୍ୟ ସବୁ ପ୍ରକଳ୍ପ ଶେଷ ହେବ।
ଏହି ଅଞ୍ଚଳରେ ଥିବା ଶାସ୍ତ୍ରୀ ଭବନ, ଉଦ୍ୟୋଗ ଭବନ ଏବଂ କୃଷି ଭବନ ଭଙ୍ଗାଯିବ। ଏହି ସବୁ ଅଟ୍ଟାଳିକାରେ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ରହିଛି। ଏହି ଅଟ୍ଟାଳିକାଗୁଡ଼ିକର ୩୦ଟି ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ପ୍ରାୟ ୭୦ ହଜାର କେନ୍ଦ୍ର ସରକାରୀ କର୍ମଚାରୀ କାମ କରନ୍ତି। ସେମାନଙ୍କୁ ଗୋଟିଏ ବିଶାଳ ସେକ୍ରେଟେରିଏଟ୍ରେ ଅବସ୍ଥାପନ କରାଯିବ। ପ୍ରସ୍ତାବିତ ନୂତନ ସେକ୍ରେଟେରିଏଟ୍ ଆଠ ମହଲାବିଶିଷ୍ଟ ହେବ।