ଦେଶର ୩୨୫ଟି ଜିଲ୍ଲାରେ କୌଣସି ସଂକ୍ରମଣ ନାହିଁ, ଲକଡାଉନର ପ୍ରଭାବ ଦେଖିବାକୁ ମିଳୁଛି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଲକଡାଉନର ସୁଫଳ ଧୀରେ ଧୀରେ ଦେଖିବାକୁ ମିଳୁଛି । ଦେଶରେ ୩୨୫ଟି ଜିଲ୍ଲାରେ କୌଣସି କରୋନା ସଂକ୍ରମଣ ମାମଲା ଜଣାପଡ଼ିନାହିଁ । ଭାରତରେ ଏବେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୧୨,୩୮୦ରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୪୧୪ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୯୪୧ଟି ନୂଆ ମାମଲା ଜଣାପଡ଼ିଛି ଓ ୩୭ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ଦେଶର ୨୭ଟି କରୋନା ସଂକ୍ରମିତ ଜିଲ୍ଲାରେ ଗତ ୧୪ ଦିନ ହେଲା କୌଣସି ନୂଆ ମାମଲା ଆସିନାହିଁ । ସେ କହିଛନ୍ତି ଯେ ଗତ କାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଓ ହଟସ୍ପଟଗୁଡ଼ିକରେ କିପରି ସଂକ୍ରମଣକୁ ନିୟନ୍ତ୍ରଣ କରାଯିବ ତାହା ଉପରେ ଆଲୋଚନା କରିଛନ୍ତି । ସଂଗଠନର ପୋଲିଓ ସତର୍କତା ନେଟଓ୍ୱର୍କ ବ୍ୟବହାର କରି ହଟସ୍ପଟଗୁଡ଼ିକ ଉପରେ ନଜର ରଖାଯିବ ।

ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ ଦେଶର କେତେକ ସ୍ଥାନରେ ହୋଇଥିବା ସୋସିଆଲ ଡିଷ୍ଟାନ୍ସିଂ ନିୟମର ଉଲ୍ଲଙ୍ଘନ ଘଟଣା, ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣା ଉପରେ ନଜର ରଖାଯାଇଛି । ଏସବୁ ଘଟଣାକୁ ରୋକିବାକୁ ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସ୍ଥିତି ସନ୍ତୋଷଜନକ ରହିଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ଆଇସିଏମଆରର ବୈଜ୍ଞାନିକ ଡ.ଆର.ଗଙ୍ଗାଖେଡକର କହିଛନ୍ତି ଯେ ଏବେ ସୁଦ୍ଧା ଦେଶରେ ମୋଟ ୨ ଲକ୍ଷ ୯୦ ହଜାର ନମୁନା ପରୀକ୍ଷଣ କରାଯାଇଛି । ଗତକାଲି ୩୦ହଜାର ୪୩ଟି ପରୀକ୍ଷଣ କରାଯାଇଛି ।

ସମ୍ବନ୍ଧିତ ଖବର