ନୂଆଦିଲ୍ଲୀ : ଆଜି ମଧ୍ୟ ଏଟିଏମ୍ ଖାଲି ପଡ଼ିଛି। ଯେଉଁ କେତେକ ଏଟିଏମ୍ରେ ଟଙ୍କା ଅଛି ସେଠି ଲୋକଙ୍କର ପ୍ରବଳ ଭିଡ଼। ଗତକିଛି ଦିନ ହେଲା ଆରମ୍ଭ ହୋଇଥିବା ଏହି ସଙ୍କଟ ଆଜି ଆହୁରି ଗୁରୁତର ହୋଇପଡ଼ିଛି। କେବଳ ଏତିକି ନୁହେଁ କେତେକ ବ୍ୟାଙ୍କରେ ମଧ୍ୟ ଟଙ୍କା ସଙ୍କଟ ସୃଷ୍ଟି ହେଲାଣି।
ସ୍ଥିତିରେ ସୁଧାର ହୋଇଛି ବୋଲି କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ କହୁଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ ପ୍ରକାରର ରହିଛି। ଲୋକମାନେ ଏଟିଏମ୍ରୁ ଟଙ୍କା ଉଠାଇ ପାରୁନାହାନ୍ତି। ଏଟିଏମ୍ରୁ ନିରାଶ ହୋଇ ବ୍ୟାଙ୍କ ଶାଖା ଯାଉଥିବା ଗ୍ରାହକମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି। ଆମ ପାଖରେ ଟଙ୍କା ନଥିବା କହି ଶାଖାଗୁଡ଼ିକ ଗ୍ରାହକଙ୍କୁ ଫେରାଇ ଦେଉଛନ୍ତି। ବଜାରରୁ ହଠାତ ୨୦୦୦ ଟଙ୍କିଆ ନୋଟ୍ ଗାଏବ ହୋଇଯିବାରୁ ଏଭଳି ସଙ୍କଟର ଅନ୍ୟତମ କାରଣ ବୋଲି କୁହାଯାଉଛି। ଏଟିଏମ୍ ପାଇଁ ୨୦୦୦ ଟଙ୍କିଆ ନୋଟ୍ ସ୍ୱପ୍ନ ପାଲଟିଛି। ବିମୁଦ୍ରାକରଣ ପରେ ଟଙ୍କାକୁ ନେଇ ସୃଷ୍ଟି ହୋଇଥିବା ଫାଙ୍କା ସ୍ଥାନକୁ ଦ୍ରୁତ ଗତିରେ ପୂରଣ କରିବା ପାଇଁ ସରକାର ନୂଆ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରିଥିଲେ। ବିମୁଦ୍ରାକରଣ ପରେ ୬ ଲକ୍ଷ ୭୦ ହଜାର କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ଛପା ହୋଇଥିଲା। ଏହା ପରେ ଏହି ନୋଟ୍ ଛପା ବନ୍ଦ କରିଦିଆଯାଇଥିଲା। ଅଧିକାଂଶ ୨୦୦୦ ଟଙ୍କିଆକୁ ଲୋକମାନେ ନିଜ ପାଖରେ ମହଜୁଦ ରଖିଥିବା କୁହାଯାଇଛି। କିଛିଦିନ ତଳେ ବଜାରରେ ମାତ୍ର ୩୪ ଭାଗ ଦୁଇ ହଜାର ଟଙ୍କିଆ ଥିଲା।
ରିଜର୍ଭ ବ୍ୟାଙ୍କ ତଥ୍ୟ ମୁତାବକ, ଏବେ ବଜାରରେ ୧୭ ଲକ୍ଷ ୪୦ ହଜାର କୋଟି ଟଙ୍କାର ମୁଦ୍ରା ପ୍ରଚଳନରେ ରହିଛି। ସେଥିମଧ୍ୟରୁ ୬ ଲକ୍ଷ ୭୦ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ଗାଏବ ହୋଇଯିବା ପରେ ଯେଉଁ ଅଭାବ ସୃଷ୍ଟି ହୋଇଛି ତାହାକୁ ଅନ୍ୟ ଛୋଟ ନୋଟ୍ଗୁଡ଼ିକ ପୂରଣ କରିପାରୁନାହାନ୍ତି।
ଆଜି ମଧ୍ୟ ବିହାର, ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୁଜରାଟରେ ସ୍ଥିତି ଗମ୍ଭୀର ଥିଲା। ଓଡ଼ିଶାରେ ମଧ୍ୟ ଅନେକ ଏଟିଏମ୍ ଅଚଳ ରହିଥିଲା। ସରକାରୀ ବ୍ୟାଙ୍କଗୁଡ଼ିକର ଏଟିଏମ୍ ଫାଙ୍କା ପଡ଼ିଥିଲା। କିଛି ଘରୋଇ ବ୍ୟାଙ୍କର ଏଟିଏମ୍ରୁ ଯାହା କିଛି ଟଙ୍କା ବାହାରୁଛି। ଯେଉଁ ଏଟିଏମ୍ରେ ଟଙ୍କା ଭର୍ତ୍ତି କରାଯାଉଛି ତାହା ଶୀଘ୍ର ଫାଙ୍କା ମଧ୍ୟ ହୋଇଯାଉଛି। କିଛି ଏଟିଏମ୍ରୁ କେବଳ ୫୦୦ ଟଙ୍କିଆ ନୋଟ୍ ବାହାରୁଛି। ଅନ୍ୟ କେତେକ ଏଟିଏମ୍ରୁ ଚିରାଫଟା ନୋଟ୍ ବାହାରୁଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। କିଛି ଏଟିଏମ୍ରୁ କେବଳ ୧୦୦ ଟଙ୍କିଆ ବାହାରୁଥିବା ସେମାନେ କହିଛନ୍ତି।
ଟଙ୍କା ଅଭାବର ଅନେକ କାରଣ ଥିବା କୁହାଯାଉଛି। ବଜାରରେ ୨୦୦୦ ଟଙ୍କିଆ ନାହିଁ। ସରକାର ୬ ମାସ ପୂର୍ବରୁ ୫୦୦ ଟଙ୍କିଆ ନୋଟ୍ ଛପାଇବା ବନ୍ଦ କରିଦେଇଥିଲେ। ତେଣୁ ତାହାର ପ୍ରଭାବ ମଧ୍ୟ ଅନୁଭୂତ ହେଉଛି। ଦୁଇ ଶହ ଟଙ୍କିଆ ନୋଟ୍ ଅଧିକ ମାତ୍ରାରେ ଛପା ହୋଇଛି। ମାତ୍ର ସେଥିପାଇଁ ଏଟିଏମ୍ଗୁଡ଼ିକୁ ରିକାଲିବ୍ରେଟ୍ କରାଯାଇନାହିଁ। ତେଣୁ ସବୁ ଏଟିଏମ୍ରେ ଦୁଇ ଶହ ଟଙ୍କିଆ ବାହାରୁ ନାହିଁ।
ବ୍ୟାଙ୍କଗୁଡ଼ିକ ପାଖରେ ମଧ୍ୟ ଟଙ୍କା ନାହିଁ ବୋଲି ଚର୍ଚା ହେଉଛି। ବ୍ୟାଙ୍କଗୁଡ଼ିକ ନିଜର ଆବଶ୍ୟକତା ପାଇଁ ଯେତିକି ଟଙ୍କା ମାଗୁଛନ୍ତି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସେମାନଙ୍କୁ ତାହାର ୩୦% ଟଙ୍କା ପ୍ରଦାନ କରାଯାଉଛି।
ଏଟିଏମ୍ରେ ନଗଦ ଟଙ୍କାର ସ୍ଥିତିର ସମୀକ୍ଷା କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଆଜି ଦେଶର ୮୦% ଏଟିଏମ୍ରୁ ଟଙ୍କା ବାହାରୁଥିଲା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଗତକାଲି ୬୦% ଏଟିଏମ୍ କାମ କରୁଥିଲା। ଦିନକ ଭିତରେ ସ୍ଥିତିରେ ବହୁତ ସୁଧାର ହୋଇଥିବା ସରକାର କହିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏଟିଏମ୍ ସ୍ଥିତିରେ ଅନେକ ସୁଧାର ହୋଇଛି। ଆଗାମୀ କିଛି ଦିନ ଭିତରେ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଯିବ ବୋଲି ଷ୍ଟେଟ୍ ବ୍ୟାଙ୍କ କହିଛି।