ଏବର୍ଷ ଗ୍ରୀଷ୍ମଋତୁରେ ବଡ଼ ଧରଣର ବାତ୍ୟା ଆଶଙ୍କା ନାହିଁ : ସ୍କାଏମେଟ୍‌

ଭୁବନେଶ୍ୱର : ମାର୍ଚ୍ଚରୁ ଦେଶରେ ପ୍ରାକ-ମୌସୁମୀ ସାମୁଦ୍ରିକ ବାତ୍ୟା ଋତୁ ଆରମ୍ଭ ହେବାକୁ ଯାଉଛି । ଗତ ବର୍ଷ ଏହି ଋତୁରେ ଅତି ଭୀଷଣ ସାମୁଦ୍ରିକ ଝଡ଼ ଫନି ଓଡ଼ିଶାକୁ ଛାରଖାର କରିଦେଇଥିଲେ । ଏଣୁ ଏବର୍ଷ କ’ଣ ହେବ ତାହାକୁ ନେଇ ଲୋକଙ୍କ ମନରେ ଆଶଙ୍କା ରହିଛି ।

ଆମ ଦେଶର ସାମୁଦ୍ରିକ ବାତ୍ୟା ଋତୁକୁ ଦୁଇଟିଭାଗରେ ବିଭକ୍ତ କରାଯାଏ । ପ୍ରାକ-ମୌସୁମୀ (ମାର୍ଚ୍ଚ-ଜୁନ) ଓ ମୌସୁମୀ ପର ବାତ୍ୟା ଋତୁ(ଅକ୍ଟୋବର-ଡିସେମ୍ବର) । ପାଣିପାଗ ଏଜେନ୍ସି ସ୍କାଏମେଟ ପକ୍ଷରୁ କୁହାଯାଇଛି ଯେ ଗତ ୨୦ ବର୍ଷରେ କେବଳ ୩ଟି ବର୍ଷ ୨୦୦୫,୨୦୧୧ ଓ ୨୦୧୨କୁ ଛାଡ଼ିଦେଲେ ଅନ୍ୟ ସବୁ ବର୍ଷରେ ବଙ୍ଗୋପସାଗର କିମ୍ବା ଆରବ ସାଗରରେ ପ୍ରତିବର୍ଷ ସାମୁଦ୍ରିକ ବାତ୍ୟ ଦେଖା ଦେଇଛି । ଏଣୁ ଏଥର କଣ ହେବ ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ସ୍କାଏମେଟ ଆକଳନ ଅନୁସାରେ ୨୦୨୦ରେ ସେଭଳି କୌଣସି ବଡ଼ ଧରଣର ଝଡ଼ବାତ୍ୟା ହେବାର ଆଶଙ୍କା ନାହିଁ । କାରଣ ଏବର୍ଷ ଉଭୟ ଏଲ-ନିନୋ ଓ ଇଣ୍ଡିଆନ ଓସେନ ଡାଇପୋଲ (ଆଇଓଡି)ର ପ୍ରଭାବ ସେତେଟା ନାହିଁ । ୨୦୧୯ର ପ୍ରାକ-ମୌସୁମୀ ସାମୁଦ୍ରିକ ବାତ୍ୟା ଋତୁରେ ଏଲ-ନିନୋ ଓ ମୌସୁମୀ ପର ବାତ୍ୟା ଋତୁରେ ଆଇଓଡିର ପ୍ରଭାବ ଶକ୍ତିଶାଳୀ ଥିଲା । ଏଥିପାଇଁ ଗତ ବର୍ଷ ଦେଶରେ ରେକର୍ଡ ସଂଖ୍ୟକ ସାମୁଦ୍ରିକ ବାତ୍ୟା ଦେଖାଦେଇଥିଲା । ଏଣୁ ଅନ୍ତତଃ ମାର୍ଚ୍ଚ କିମ୍ବା ଏପ୍ରିଲରେ କୌଣସି ବାତ୍ୟା ହେବାର ସମ୍ଭାବନା କମ ବୋଲି ସ୍କାଏମେଟ କହିଛି ।

ସମ୍ବନ୍ଧିତ ଖବର