ଭାରତୀୟ ଅଞ୍ଚଳକୁ ଚୀନ ସେନା ଅନୁପ୍ରବେଶ କରିନାହାନ୍ତି : ମୋଦୀ

ନୂଆଦିଲ୍ଲୀ : ଚୀନ ସେନା ଭାରତର କୌଣସି ଅଞ୍ଚଳ ଅଧିକାର କରିନାହାନ୍ତି କିମ୍ବା କୌଣସି ପୋଷ୍ଟକୁ କବଜା କରିନାହାନ୍ତି । ଭାରତର ୨୦ ଜଣ ବୀର ଯବାନ ସହିଦ ହୋଇଗଲେ କିନ୍ତୁ ସେମାନେ ଚୀନ ସୈନିକମାନଙ୍କୁ ଉଚିତ ଶିକ୍ଷା ଦେଇଗଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୋଦୀ କହିଛନ୍ତି ଯେ ଏବେ ସୁଦ୍ଧା ଯେଉଁମାନଙ୍କୁ କେହି ପ୍ରଶ୍ନ କରୁନଥିଲେ ବା ଅଟକାଉନଥିଲେ ସେମାନଙ୍କୁ ଆମ ଯବାନମାନେ ଅଟକାଉଛନ୍ତି । ଗତ କିଛି ବର୍ଷ ହେଲା ସରକାର ସୀମାରେ ବ୍ୟାପକ ଭିତ୍ତିଭୂମି ନିର୍ମାଣ କରିଛନ୍ତି । ଏହା ଫଳରେ ପୂର୍ବରୁ ଯେଉଁ ଅଞ୍ଚଳଗୁଡ଼ିକରେ ପ୍ରହରା ଦେଇହେଉନଥିଲା, ଏବେ ଯବାନମାନେ ପ୍ରହରା ଦେଉଛନ୍ତି । ତିନି ସେନାର ଅବଶ୍ୟକତା ପୂରଣ ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣାଯାଉଛି ବୋଲି ସେ କହିଛନ୍ତି । ଦେଶର ସୁରକ୍ଷା କରିବାକୁ ଯାହା କରିବା ଆବଶ୍ୟକ ଭାରତୀୟ ସେନା ତାହା କରୁଛି । ଭାରତର ଏକ ଇଞ୍ଚ ଜମି କେହି ନେଇ ପାରିବେ ନାହିଁ । ଭାରତୀୟ ସେନା ଦେଶର ସୀମାର ରକ୍ଷା କରିବାକୁ ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଚୀନ ଅନୁପ୍ରବେଶ ସଂପର୍କରେ ସ୍ଥିତି ସ୍ପଷ୍ଟ କରିବାକୁ ସରକାରଙ୍କୁ କହିଥିଲେ ।

ସମ୍ବନ୍ଧିତ ଖବର