ଘରୁ କାମ କରିବା ବେଳେ ଇ-ଅଫିସ୍‌ରେ କୌଣସି ଗୋପନୀୟ ଫାଇଲ୍‌ କାମ କରାଯିବ ନାହିଁ: ଗୃହ ବ୍ୟାପାର ମନ୍ତ୍ରାଳୟ

ନୂଆଦିଲ୍ଲୀ: ଇ-ଅଫିସ୍‌ ମାଧ୍ୟମରେ କୌଣସି ଗୋପନୀୟ ଫାଇଲ୍‌ କାମ କରାଯିବ ନାହିଁ ବୋଲି ଗୁରୁବାର ଦିନ କେନ୍ଦ୍ର ଗୃହ ବ୍ୟାପାର ନିର୍ଦେଶ ଦେଇଛି। ଅର୍ଥାତ୍ ଘରେ ଥାଇ କାମ କରିବା ସମୟରେ ଇ-ଅଫିସ୍‌ରେ କୌଣସି ଗୋପନୀୟ ସୂଚନା ଥିବା ଫାଇଲ୍ କାମ କରାଯିବ ନାହିଁ।

ପ୍ରାପ୍ତ ସୂଚନା ଅନୁସାରେ, ଗୃହ ବ୍ୟାପାର ମନ୍ତ୍ରାଳୟ ସହ ପରାମର୍ଶ କରି ରାଷ୍ଟ୍ରାୟତ ‘ନ୍ୟାସ୍‌ନାଲ୍ ଇନ୍‌ଫରମେଟିକ୍ସ ସେଣ୍ଟର୍’ (ଏନ୍ଆଇସି) ଗୋପନୀୟ ଫାଇଲ୍/ସୂଚନା ଆଦିକୁ ଦୂରରୁ ଥାଇ ଆକ୍ସେସ୍ କରିବା ନିମନ୍ତେ ଥିବା ନିରାପତ୍ତା ପ୍ରୋଟକଲ୍‌କୁ ଯାଞ୍ଚ କରିବ। ଏହା ପରେ ଏନ୍‌ଆଇସି ଇ-ଅଫସ୍‌ରେ ଗୋପନୀୟ ସୂଚନା ଫାଇଲ୍ କାମ ନିମନ୍ତେ ଉପଯୁକ୍ତ ମାର୍ଗଦର୍ଶିକା ଓ ଏସ୍ଓପି ଜାରି କରିବ। ସେ ପର୍ଯ୍ୟନ୍ତ ଗୋପନୀୟ ଫାଇଲ୍‌ଗୁଡ଼ିକର କାମ କେବଳ ଗୋଟିକିଆ କମ୍ପ୍ୟୁଟର୍ ଦ୍ବାରା କରାଯିବ।

Image Source: Railpost

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ପ୍ରାୟ ୭୫ ମନ୍ତ୍ରାଳୟ ଓ ବିଭାଗ ସମ୍ପ୍ରତି ଇ-ଅଫିସ୍‌ ପ୍ଲାଟ୍‌ଫର୍ମର ସକ୍ରିୟ ବ୍ୟବହାର କରୁଛନ୍ତି। ଏହାଛଡ଼ା ୫୭ ମନ୍ତ୍ରାଳୟ/ବିଭାଗ ସେମାନଙ୍କ କାମର ୮୦% ଇ-ଅଫିସ୍‌ରେ କରିଛନ୍ତି।

ଗୃହ ବ୍ୟାପାର ମନ୍ତ୍ରାଳୟ ନିର୍ଦେଶ ଦେଇଛି ଯେ ଅଧିକାରୀମାନେ କେବଳ ଯୋଗାଇ ଦିଆଯାଇଥିବା ଅଫିସିୟାଲ୍ ଲ୍ୟାପ୍‌ଟପ୍‌ରେ ଅଫିସ କାମ କରିବେ। ସେମାନଙ୍କ ଲ୍ୟାପ୍‌ଟପ୍‌ଗୁଡ଼ିକ ମାଲ୍‌ୱେର୍ ଏବଂ ହାନିକାରକ ୱେବ୍‌ସାଇଟ୍ କବଳରୁ ସୁରକ୍ଷିତ କି, ନୁହେଁ ତାହା ଏନ୍ଆଇସି ସୁନିଶ୍ଚିତ କରିବ। ନିଜ କମ୍ପ୍ୟୁଟର୍/ଲ୍ୟାପ୍‌ଟପ୍‌ରେ କାମ କରୁଥିବା ଅଧିକାରୀମାନଙ୍କୁ କୁହାଯାଇଛି ଯେ ସେମାନେ ନିୟମିତ ଅପ୍‌ଡେଟ୍ ଇନ୍‌ଷ୍ଟଲ୍ କରନ୍ତୁ, ଆଣ୍ଟି ଭାଇରସ୍ ସ୍କାନିଙ୍ଗ୍ କରନ୍ତୁ, ହାନିକାରକ ୱେବ୍‌ସାଇଟ୍ ବ୍ଲକ୍ କରନ୍ତୁ। ସୂଚନା ଚୋରି ହେବାର ସମ୍ଭାବନା ଥିବାରୁ ସେମାନେ ନିରାପତ୍ତା ନିମନ୍ତେ ଏନ୍‌ଆଇସିର ସହାୟତା ନେଇ କମ୍ପ୍ୟୁଟର୍‌/ଲ୍ୟାପ୍‌ଟପ୍ ସୁରକ୍ଷିତ ରଖନ୍ତୁ।

ଆବଶ୍ୟକ ବେଳେ ଅଫିସ୍‌ରୁ ନିର୍ଦେଶ ପାଇବାକୁ ଘରେ ଥାଇ କାମ କରୁଥିବା ଅଧିକାରୀମାନେ ପାଖରେ ଫୋନ୍ ରଖିବାକୁ ନିର୍ଦେଶ ଦିଆଯାଇଛି।

 

ସମ୍ବନ୍ଧିତ ଖବର