ନୂଆଦିଲ୍ଲୀ: ଅକ୍ସଫୋର୍ଡ ଟିକା କୋଭିସିଲ୍ଡକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ମିଳିସାରିଥିବା ବେଳେ ହାଇଦ୍ରାବାଦର ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ଅନୁମତି ପ୍ରଦାନ ଲାଗି ସୁପାରିସ କରାଯାଇଛି । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ବିଶେଷଜ୍ଞ କମିଟି ପକ୍ଷରୁ ଏହି ସୁପାରିସ ଦିଆଯାଇଛି। ଏହାପରେ କୋଭାକ୍ସିନର ନିୟମିତ ବ୍ୟବହାର ଲାଗି ଅନୁମତି ଡ୍ରଗ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ପ୍ରଦାନ କରିବ।
କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର ବିଶେଷଜ୍ଞ କମିଟି ପକ୍ଷରୁ କୁହାଯାଇଛି ଯେ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଜରୁରୀକାଳୀନ ବ୍ୟବହାର ଅନୁମତି ନିମନ୍ତେ ସୁପାରିସ କରାଗଲା । ଏହି ଟିକା ସମ୍ପର୍କରେ କମ୍ପାନିକୁ ଅଧିକ ତଥ୍ୟ ମଗାଯାଇଥିଲା ଏବଂ ସବୁ ତଥ୍ୟର ସମୀକ୍ଷା ପରେ ହିଁ ଏହି ଟିକାକୁ ଅନୁମତି ସମ୍ପର୍କରେ ନିଷ୍ପତ୍ତି ନିଆଗଲା। ଉଲ୍ଲେଖଯୋଗ୍ୟ, ପ୍ରଥମ ସ୍ବଦେଶୀ ଟିକା ଭାବେ କୋଭାକ୍ସିନ୍ ଏହି ଅନୁମତି ପାଇବାକୁ ଯାଉଛି। ଆଇସିଏମଆର ଓ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ସହଯୋଗରେ ଭାରତ ବାୟୋଟେକ ଏହା ପ୍ରସ୍ତୁତ କରିଛି।
ଗତକାଲି ବସିଥିବା ବିଶେଷଜ୍ଞ କମିଟି ବୈଠକରେ ୩ଟି ଟିକା-ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡ (ଅକ୍ସଫୋର୍ଡ ଟିକା), କୋଭାକ୍ସିନ ଓ ଫାଇଜରକୁ ବିଚାରକୁ ନିଆଯାଇଥିଲା । ଏହି ୩ଟି ମଧ୍ୟରୁ କେବଳ କୋଭିସିଲ୍ଡକୁ ଅନୁମତି ଦିଆଯାଇଥିଲା । ଆଜି କୋଭାକ୍ସିନକୁ ଜରୁରୀ ବ୍ୟବହାର ଲାଗି ଅନୁମତି ମିଳିଛି ।
ସୂଚନାଯୋଗ୍ୟ ଯେ, ଭାରତ ସରକାର ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଯୋଜନା କରୁଛନ୍ତି । ଏହି ୩୦ କୋଟି ଲୋକ ହେଉଛନ୍ତି ବିଭିନ୍ନ ଅଗ୍ରାଧିକାର ତଥା ଦୁର୍ବଳ ବର୍ଗର ଲୋକ ଯେପରିକି ସ୍ବାସ୍ଥ୍ୟକର୍ମୀ, ପୁଲିସ କର୍ମଚାରୀ,ବୟସ୍କ ବ୍ୟକ୍ତି, ଅନ୍ୟ ରୋଗଥିବା ବ୍ୟକ୍ତି ।