ଆଉ କିଛି ଘଣ୍ଟା ଭିତରେ ଚନ୍ଦ୍ରରେ ଆରମ୍ଭ ହେବ ରାତି; ବିକ୍ରମ ସହ ଆଉ କେବେ ବି ଯୋଗାଯୋଗ ସମ୍ଭବ ହୋଇ ପାରିବ ନାହିଁ !

ନୂଆଦିଲ୍ଲୀ : ‘ଚନ୍ଦ୍ରଯାନ-୨’ର ଲ୍ୟାଣ୍ଡର ବିକ୍ରମକୁ ଠାବ କରିବାର ଶେଷ ସୁଯୋଗ ହାତଛଡ଼ା ନ କରିବାକୁ ‘ଇସ୍ରୋ’ର ବୈଜ୍ଞାନିକମାନେ ଶେଷ ପ୍ରୟାସ ଜାରି ରଖିଛନ୍ତି। ବୈଜ୍ଞାନିକମାନଙ୍କ ହାତରେ ଏବେ ଆଉ ମାତ୍ର  କିଛି  ଘଣ୍ଟା ବାକି । ଶନିବାର ସୁଦ୍ଧା  ବିକ୍ରମକୁ ଠାବ ନ କରିପାରିଲେ ବିକ୍ରମ ସହ ଆଉ କେବେ ବି ଯୋଗାଯୋଗ ସମ୍ଭବ ହୋଇ ପାରିବନାହିଁ ବୋଲି ସୂଚନା ରହିଛି। ରବିବାର ଠାରୁ ଚନ୍ଦ୍ରରେ ରାତ୍ରି ଆରମ୍ଭ ହୋଇଗଲେ ଯୋଗାଯୋଗ ଅସମ୍ଭବ ହୋଇଯିବ। ଏହି ସମୟରେ ଇସ୍ରୋ ମୁଖ୍ୟ କେ.ଶିବନଙ୍କ ବଡ଼ ବୟାନ ଆସିଛି। ଶନିବାର ପୂର୍ବାହ୍ଣରେ ସେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି,  ‘ଆମେ ବିକ୍ରମ ଲାଣ୍ଡର ସହ ଯୋଗାଯୋଗ କରିବାରେ ବିଫଳ ହୋଇଛୁ। ମାତ୍ର ଅର୍ବିଟର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ଏହାର ସମସ୍ତ ୮ଟି ଅଂଶ ସଙ୍କେତ ମୁତାବକ କାର୍ଯ୍ୟକରୁଛି। ବର୍ତ୍ତମାନ ଆମର ଲକ୍ଷ୍ୟ ଗଗନଯାନ ପ୍ରକଳ୍ପ ଉପରେ ରହିଛି।  

Firstpost

ସୂଚନାଯୋଗ୍ୟ, ସେପ୍‌ଟମ୍ବର ୭ ତାରିଖରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗା‌ଯୋଗ ବିଛିନ୍ନ ହୋଇଥିଲା। ଏହା ପରଠାରୁ ବିକ୍ରମ ସହ ଯୋଗାଯୋଗ ପାଇଁ ‘ଇସ୍ରୋ’ ବୈଜ୍ଞାନିକମାନେ ନିରବଛିନ୍ନ ଉଦ୍ୟମ କରିଆସୁଛନ୍ତି। ସେପ୍ଟେମ୍ବର ୭ରୁ ୨୧ ଯାଏ ଚନ୍ଦ୍ରରେ ‘ଲୁନାର୍‌ ଡେ’ ସମୟ ଥାଏ। ଏହି ସମୟରେ ଚନ୍ଦ୍ରରେ ପର୍ଯ୍ୟପ୍ତ ସୂର୍ଯ୍ୟାଲୋକ ପଡ଼ିଥାଏ ଏବଂ ଆଲୋକର ଉପସ୍ଥିତି ଯୋଗୁଁ ବିକ୍ରମ ସହ ‌ଯୋଗାଯୋଗ କରିବା ସମ୍ଭାବନା ରହିଛି, ଯାହା ଆଜିଠାରୁ ଆଉ ସମ୍ଭବ ହେବ ନାହିଁ। ସେପ୍ଟେମ୍ବର ୨୧ ତାରିଖ ପରେ ଚନ୍ଦ୍ରରେ ରାତ୍ରୀ ଆରମ୍ଭ ହୋଇଯିବ। ଏହି ସମୟରେ ଚନ୍ଦ୍ରରେ ଘନ ଅନ୍ଧକାର ମାଡ଼ି ଆସିବ। ଆଉ ଏଭଳି ଅନ୍ଧାର ମଧ୍ୟରେ ବିକ୍ରମ ସହ ସମ୍ପର୍କ ସ୍ଥାପନ କରିବା ଆଦୌ ସମ୍ଭବପର ହୋଇପାରିବ ନାହିଁ ବୋଲି ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି। ଶନିବାର ଲୁନାର ଡେ (ଚନ୍ଦ୍ର ଦିବସ) ଶେଷ ହେଉଥିବାରୁ ଏହା ଏବେ ‌ଇସ୍ରୋର ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇଦେଇଛି।

ସମ୍ବନ୍ଧିତ ଖବର