ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ, ମାତ୍ର ୫୦ଟି ଜିଲ୍ଲାରେ ୮୦% ମାମଲା : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : କେତେକ ଅଞ୍ଚଳରେ ହୋଇଥିବା କ୍ଲଷ୍ଟର ସଂକ୍ରମଣକୁ ଛାଡ଼ିଦେଲେ ଭାରତରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୁଣି ଥରେ ଦୋହରେଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଗୋଷ୍ଠୀ ସଂକ୍ରମଣର କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଦିଆଯାଇନାହିଁ । ତେବେ ବିଶେଷଜ୍ଞଙ୍କ ମତରେ ଯେତେବେଳେ ଏକ ସଂକ୍ରମଣର ଉତ୍ସ ଜଣାପଡ଼େ ନାହିଁ, ସେତେବେଳେ ଗୋଷ୍ଠୀ ସଂକ୍ରମଣ ହେଲା ବୋଲି କୁହାଯାଇପାରେ । ସେହିପରି ଯେତେବେଳେ ସଂକ୍ରମଣ ଶୃଙ୍ଖଳା ବା ଚେନକୁ ଜାଣିବା ଅସମ୍ଭବ ହୋଇପଡ଼େ ସେତେବେଳେ ତାହାକୁ ଗୋଷ୍ଠୀ ସଂକ୍ରମଣ ବୋଲି କୁହାଯାଏ ।

କିନ୍ତୁ ଭାରତର ମୋଟ ୭୪୦ଟି ଜିଲ୍ଲାରୁ ମାତ୍ର ୫୦ଟି ଜିଲ୍ଲାରେ ୮୦ ପ୍ରତିଶତ କରୋନା ମାମଲା ଚିହ୍ନଟ ହୋଇଛି । ସେହିପରି ଅଧିକାଂଶ ସଂକ୍ରମଣ ମାମଲା କ୍ଷେତ୍ରରେ ତାହା କେଉଁଠୁ ଆସିଲା ଓ କେତେଜଣଙ୍କ ସହ କଣ୍ଟାକ୍ଟ ହୋଇଛି ତାହା ୭୨ ଘଣ୍ଟା ମଧ୍ୟରେ ଜଣାପଡ଼ୁଛି । ଏଣୁ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି କୁହାଯାଇପାରିବ ନାହିଁ ।

ସେ କହିଛନ୍ତି ଯେ ଦେଶରେ ଟିକା ବାହାରିବା ପରେ ତାହାକୁ ଏକ ବୃହତ ଅଭିଯାନ ମଧ୍ୟମରେ ଅନେକ ଲୋକଙ୍କୁ ଦିଆଯିବ । ଏଥିପାଇଁ ଏବେ ଠାରୁ ବିଭିନ୍ନ ପକ୍ଷ ସହିତ କଥାବାର୍ତ୍ତା ଚାଲିଛି ।

ସମ୍ବନ୍ଧିତ ଖବର