ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ତାଙ୍କ ‘ପିଇବ ଯଦି ମରିବ’ ଟିପ୍ପଣୀକୁ ଦୋହରାଇଛନ୍ତି। ବିଷାକ୍ତ ମଦମୃତ୍ୟୁକୁ ବିରୋଧ କରି ଶୁକ୍ରବାର ଦିନ ରାଜ୍ୟ ବିଧାନସଭାରେ ହୋହଲ୍ଲା ହୋଇଥିବା ବେଳେ ନୀତୀଶ ଏହି ଟିପ୍ପଣୀ ଦେଇଛନ୍ତି। ବିଧାନସଭାରେ ଉଦ୍ବୋଧନ ଦେଇ ନୀତୀଶ କୁମାର କହିଛନ୍ତି, ମଦ୍ୟପାନ କରି ଯେଉଁମାନେ ମରିଛନ୍ତି, ସେମାନଙ୍କୁ କୌଣସି କ୍ଷତିପୂରଣ ମିଳିବନି। ନୀତୀଶ କହିଛନ୍ତି, ଦୀର୍ଘ ଦିନ ଧରି ଆମେ କହିଆସୁଛୁ ଯେ, ଯଦି ତୁମେ ମଦ୍ୟପାନ କରିବ ତେବେ ମରିବ। ମୁଁ ମଧ୍ୟ ପୁଣିଥରେ ଏହା କହୁଛି ଯେ ଯଦି କେହି ବିଷାକ୍ତ ମଦ ପିଇବ ତେବେ ସେ ନିଶ୍ଚିତ ଭାବେ ମରିବ। ଯେଉଁମାନେ ମଦ୍ୟପାନ ସପକ୍ଷରେ କହୁଛନ୍ତି, ସେମାନେ ଏଥିରୁ କୌଣସି ଲାଭ ପାଇବେ ନାହିଁ। ନୀତୀଶ କହିଛନ୍ତି, ମଦ ନିଷିଦ୍ଧ ନୀତି ଅନେକ ଲୋକଙ୍କ ଉପକାର କରିଛି ଏବଂ ବହୁ ସଂଖ୍ୟାରେ ଲୋକ ଏଥିପାଇଁ ମଦ୍ୟପାନ କରିବା ଛାଡ଼ି ଦେଇଛନ୍ତି।
ଇତିମଧ୍ୟରେ ଏନ୍ଏଚଆରସି (ଜାତୀୟ ମାନବାଧିକାର କମିସନ୍) ବିହାରରେ ମଦମୃତ୍ୟୁ ବୃଦ୍ଧି ପ୍ରସଙ୍ଗରେ ବିହାର ସରକାର ଏବଂ ରାଜ୍ୟ ପୁଲିସ ମୁଖ୍ୟଙ୍କୁ ନୋଟିସ୍ କରିଛନ୍ତି। ଏନ୍ଏଚ୍ଆରସି ଏନେଇ ୪ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି। ବିହାରରେ ମଦମୃତ୍ୟୁ ସଂଖ୍ୟା ଗୁରୁବାର ଦିନ ୬୩ରେ ପହଞ୍ଚିଛି। ଅନେକ ଲୋକ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମଙ୍ଗଳବାର ରାତିରେ ହୋଇଥିବା ମୃତ୍ୟୁ ପାଇଁ ଜଣେ ଏସଏଚ୍ଓ ଏବଂ ଜଣେ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ବିଜେପି ନେତାମାନେ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଦାବି କରିଛନ୍ତି ଏବଂ ରାଜ୍ୟପାଳଙ୍କ ବାସଭବନ ପର୍ଯ୍ୟନ୍ତ ଆନ୍ଦୋଳନ ଯାତ୍ରା କରିଛନ୍ତି। ବିରୋଧୀ ଦଳ ନେତା ବିଜୟ କୁମାର ସିହ୍ନା କହିଛନ୍ତି, ସରକାର ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି। ସେ କହିଛନ୍ତି, ସରକାର ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦେବାପାଇଁ ଆଇନ ଆଣିବା ଉଚିତ। ଉଲ୍ଲେଯୋଗ୍ୟ, ନୀତୀଶ ସରକାରଙ୍କ ଦ୍ବାରା ୨୦୧୬ରେ ମଦ ବିକ୍ରି ଏବଂ ମଦ ପିଇବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିଲା।