କରୋନାଭୂତାଣୁ ଟିକା ଉପରେ ସଂପୂର୍ଣ୍ଣ ଭରସା ନାହିଁ: ‘ହୁ’

ନୂଆଦିଲ୍ଲୀ : ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ଏକ ନିରାପଦ ତଥା ଫଳପ୍ରଦ ଟିକା ଉଦ୍ଭାବନ କରିବା ଲାଗି ବିଶ୍ବ ସମୁଦାୟର ସାମୂହିକ ଉଦ୍ୟମ ବେଶ ଉତ୍ସାହଜନକ ହୋଇଛି। ଫଳସ୍ବରୂପ ଏକାଧିକ ବିକଶିତ ଟିକା ସେମାନଙ୍କ ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସ୍ତରରେ ପହଞ୍ଚିପାରିଛନ୍ତି। ତେବେ ଏହି ଶେଷ ପରୀକ୍ଷଣ ସବୁ କିଛି ନୁହେଁ, ଅର୍ଥାତ୍‌ ଏହା ଦ୍ବାରା ପ୍ରଯୁଜ୍ୟ ଟିକାଟିଏ ଆମ ହାତ ପାଆନ୍ତାରେ ପହଞ୍ଚିଗଲା ବୋଲି ଧରିନେବା ଠିକ୍‌ ହେବ ନାହିଁ। ତେଣୁ ଏଥିରେ ସର୍ବସାଧାରଣ ମାତ୍ରାଧିକ ଉତ୍ସାହିତ ନହେବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପରାମର୍ଶ କରିଛି। ବିଶେଷଜ୍ଞମାନଙ୍କର ଏକ ଆଭାସୀ ଆଲୋଚନାଚକ୍ରରେ ଭାଗ ନେଇ ହୁ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକ୍‌ ରିଆନ୍‌ଙ୍କ କହିଛନ୍ତି ଯେ ଯେଉଁ କେତେଟି ହାତଗଣତି ଟିକାର ତୃତୀୟ ବା ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି, ସେଥିରେ ପ୍ରାକୃତିକ ସଂକ୍ରମଣରୁ ଜଣେ ସୁସ୍ଥ ଲୋକ ନିଜକୁ ମୁକ୍ତ ରଖିପାରୁଛି ନା ନାଇଁ, ତାହା ହିଁ ନିରୀକ୍ଷଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଯେତେ ସବୁ ପରୀକ୍ଷା ନିରୀକ୍ଷା ଚାଲିଥିଲା ତାହା କେବଳ ଟିକାର ନିରାପତ୍ତା ଏବଂ ଏହାର ରୋଗପ୍ରତିରୋଧ ସୃଷ୍ଟିକାରୀ ଗୁଣ ସମ୍ପର୍କରେ ତର୍ଜମା କରାଯାଉଥିଲା। ସୁତରାଂ କୌଣସି ଟିକା ଏହାର ସାର୍ବଜନୀନ ବ୍ୟବହାରରରେ ଫଳପ୍ରଦତା ପ୍ରମାଣ କରିବା ପାଇଁ ଆହୁରି ଅନେକ କିଛି ବାକି ଅଛି ବୋଲି ସେ କହିଛନ୍ତି। ଅପରପକ୍ଷେ, ବର୍ତ୍ତମାନ ସ୍ଥିତିରେ ଆମେ ଟିକାଟିଏ ପାଇପାରିଥିବା ସମ୍ପର୍କରେ ନିଶ୍ଚିତ କରି କହିହେବନାହିଁ ବୋଲି ହୁ’ ମହାନିର୍ଦ୍ଦେଶକ ଟେଡ୍ରସ ଆଧାନମ୍‌ ଘେବ୍ରେୟେସସ୍‌ କହିଛନ୍ତି।

ସମ୍ବନ୍ଧିତ ଖବର