ଚୀନ୍‌କୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ : ଆମେ ବି ଜବାବ ଦେଇପାରିବୁ

ଯବାନଙ୍କ ବଳିଦାନ ବେକାର ଯିବନି
ସୀମାରେ ସେନା ସଜାଗ
ସୀମାକୁ ନେଇ ବୁଝାମଣା ହେବନି
୧୯ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଲଦାଖ ସୀମାରେ ଚୀନ୍ ଆକ୍ରମଣରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବାରୁ ଏହାକୁ ନେଇ ଦେଶବ୍ୟାପୀ କ୍ରୋଧର ବାତାବରଣ ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଆଶ୍ବାସନା ଦେଇଛନ୍ତି ଯେ ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ଚୀନ୍‌କୁ ଚେତାବନୀ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଶାନ୍ତି ଚାହେଁ, କାହାକୁ ଉତ୍ତେଜିତ କରେ ନାହିଁ। କିନ୍ତୁ ଭାରତକୁ କେହି ଆଖି ଦେଖାଇଲେ ପରିଣତି ନେଇ କୌଣସି ସନ୍ଦେହ ରହିବା ଉଚିତ ନୁ‌ହେଁ। ମୁହଁ‌ତୋଡ଼ ଜବାବ ଦେବାଲାଗି ଭାରତର ସାମର୍ଥ୍ୟ ରହିଛି। ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଆମର ଶକ୍ତି ରହିଛି ଏବଂ ଆମେ ନିଜର ସୀମାକୁ ନେଇ କୌଣସି ସାଲିସ୍‌ କରିବୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି।

Zee News

ବୁଧବାର କରୋନାଭାଇରସ୍‌ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ବାର୍ତା ଶୁଣାଇଛନ୍ତି। ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଥିଲେ ଯେ ଭାରତର ଯବାନ ଶତ୍ରୁକୁ ସଂହାର କରି ସହିଦ ହୋଇଛନ୍ତି। ସେମାନଙ୍କ ବୀରତା ପାଇଁ ଦେଶ ଗର୍ବିତ। ଭାରତର ଏକତା ଓ ଅଖଣ୍ଡତା ନେଇ କୌଣସି ପରିସ୍ଥିତିରେ ବି ସାଲିସ କରାଯିବ ନାହିଁ। ଭାରତ ଶାନ୍ତି ଚାହୁଛି, କିନ୍ତୁ କେହି ଭାରତକୁ ଆଖି ଦେଖାଇଲେ ଏହାର ଉଚିତ ଜବାବ କିପରି ଦିଆଯାଏ ତାହା ଭାରତ ଜାଣିଛି। ସହିଦଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଆପଣଙ୍କ ସହିତ ରହିଛି, ଯେ କୌଣସି ସ୍ଥିତିରେ ବି ଦେଶ ଆପଣଙ୍କ ସହିତ ଛିଡ଼ା ହୋଇଛି। ଭାରତ ନିଜର ସ୍ବାଭିମାନ ଏବଂ ପ୍ରତ୍ୟେକ ଇଂଚ ଭୂମିର ସୁରକ୍ଷା କରିବ। ଚୀନ୍‌ର ନାମ ‌ନନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ସହଯୋଗ ଏବଂ ବନ୍ଧୁତାର ରାସ୍ତାରେ ଚାଲିଛି। ଭାରତ ଶାନ୍ତିପୂର୍ଣ୍ଣ ଦେଶ। ଇତିହାସ ମଧ୍ୟ ଏହାର ସାକ୍ଷୀ ରହିଛି ଯେ ଆମେ ବିଶ୍ବରେ ଶାନ୍ତିର ପ୍ରସାର କରିଛୁ। ଆମେ କେବେ କାହାକୁ ଉସୁକାଉ ନାହୁଁ, କିନ୍ତୁ ଆମେ ନିଜ ଦେଶର ଅଖଣ୍ଡତା ପ୍ରତି କେହି ବିପଦ ସୃଷ୍ଟି କଲେ ଆମେ ବରଦାସ୍ତ କରିବୁ ନାହିଁ।

ଆଜି ପ୍ରଧାନମନ୍ତ୍ରୀ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବା ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଉପସ୍ଥିତ ଥିଲେ।

ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଆସନ୍ତା ୧୯ ତାରିଖ ଦିନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସନ୍ଧ୍ୟା ବେଳେ ହେବାକୁ ଥିବା ଭିଡିଓ କନଫେରେନସିଂ ବୈଠକରେ ସବୁ ରାଜନୈତିକ ଦଳର ମୁଖ୍ୟମାନେ ଯୋଗଦେବେ। ଚୀନ ସହ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପର‌େ ଆଲୋଚନା କରାଯିବ।

ସମ୍ବନ୍ଧିତ ଖବର