କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାର ପ୍ରଶ୍ନ ଉଠୁନାହିଁ: ରାଜନାଥ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଶ୍ମୀର ମଧ୍ୟସ୍ଥତା ଟିପ୍ପଣୀ ପାଇଁ  ମଧ୍ୟ ସଂସଦରେ ହଟ୍ଟଗୋଳ ହୋଇଥିଲେ। ଲୋକସଭାରେ ଶୂନ୍ୟକାଳ ଆରମ୍ଭ ହେଉହେଉ କଂଗ୍ରେସ ନେତାମାନେ ପୁନର୍ବାର ଟ୍ରମ୍ପ୍‌ଙ୍କ କଶ୍ମୀର ଟିପ୍ପଣୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ପ୍ରଥମେ ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ। ଟ୍ରମ୍ପ୍‌ଙ୍କ ଟିପ୍ପଣୀ ପାଇଁ ଏବେ ଦେଶବ୍ୟାପୀ ଚାରିଆଡ଼େ ଆଲୋଚନା ହେଉଥିଲେ ମଧ୍ୟ ମୋଦୀ ଏନେଇ କିଛି କହୁନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। ମୋଦୀ ଏବଂ ଟ୍ରମ୍ପ୍‌ଙ୍କ ମଧ୍ୟରେ କ’ଣ କଥା ହୋଇଥିଲା ତାହା ଆମେ ଜାଣିବାକୁ ଚାହୁ ବୋଲି ଚୌଧୁରୀ କହିଥିଲେ। ଏଥିସହ ଅନ୍ୟ ବିରୋଧୀଦଳ ନେତାମାନେ ମଧ୍ୟ ମୋଦୀଙ୍କ ସ୍ପଷ୍ଟୀକରଣ ମାଗିଥିଲେ। ଏହାର ଉତ୍ତରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାର ପ୍ରଶ୍ନ ଉଠୁନାହିଁ। ଏହ‌ା ହେଉଛି ସମ୍ମାନର କଥା। ଏଥିରେ ଆଦୌ ସାଲିସ କରାଯିବ ନାହିଁ। ଯଦି ପାକିସ୍ତାନ ସହ କଶ୍ମୀର ନେଇ କଥାବାର୍ତ୍ତା ଆରମ୍ଭ ହେବ ତେବେ ଏଥିରେ ପିଓକେ ମଧ୍ୟ ସାମିଲ ରହିବ ବୋଲି ସେ କହିଛନ୍ତି। କିନ୍ତୁ ଉତ୍ତରରେ ସନ୍ତୁଷ୍ଟ ନହୋଇ କଂଗ୍ରେସ ସାଂସଦ କକ୍ଷତ୍ୟାଗ କରିଥିଲେ। ଉଲ୍ଲେଖଯୋଗ୍ୟ ଇମ୍ରାନ୍‌ ଖାନ୍‌ଙ୍କ ଆମେରିକା ଗସ୍ତ ସମୟରେ ହ୍ବାଇଟ୍‌ ହାଉସରେ ଟ୍ରମ୍ପ୍‌ କହିଥିଲେ ଯେ ସେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆଗ୍ରହୀ ଏବଂ ମୋଦୀ ମଧ୍ୟ ଏଥିପାଇଁ ତାଙ୍କୁ ପୂର୍ବରୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର