ବିପଦରେ ଇମ୍ରାନ ଖାଁଙ୍କ ପ୍ରଧାନମନ୍ତ୍ରୀ ଆସନ, ଅନାସ୍ଥା ପ୍ରସ୍ତାବ ଆଗତ କଲେ ବିରୋଧୀ ଦଳ

ଇସଲାମାବାଦ : ଗୋଟିଏ ପଟେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ସମଗ୍ର ବିଶ୍ବ ଚିନ୍ତିତ ଥିବାବେଳେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଯାଇଛି । ପାକିସ୍ତାନର ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ପାକିସ୍ତାନରେ ଦେଖାଦେଇଥିବା ଅଭୁତପୂର୍ବ ଦରଦାମ ବୃଦ୍ଧି ପାଇଁ ଇମ୍ରାନଙ୍କୁ ଦାୟୀ କରି ବିରୋଧୀ ଦଳମାନେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ।

ପାକିସ୍ତାନର ପ୍ରମୁଖ ଦୁଇ ବିରୋଧୀ ଦଳ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ୍ (ପିଏମଏଲ-ଏନ)ଓ ପାକିସ୍ତାନ ପିପୁଲ୍ସ ପାର୍ଟି ପକ୍ଷରୁ ଏହି ଅନସ୍ଥା ପ୍ରସ୍ତାବ ଆଗତ କରାଯାଇଛି । ପାକିସ୍ତାନ ଜାତୀୟ ଆସେମ୍ବଲିକୁ ଦିଆଯାଇଥିବା ଏହି ଅନାସ୍ଥା ପ୍ରସ୍ତାବରେ ୧୦୦ ଜଣ ସାଂସଦ ସ୍ବାକ୍ଷର କରିଛନ୍ତି । ନିୟମ ଅନୁସାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିବାକୁ ଅତି କମରେ ୬୮ ଜଣ ସାଂସଦଙ୍କ ସ୍ବାକ୍ଷର ଆବଶ୍ୟକ । ଏହା ପରେ ଆସନ୍ତା ୭ ଦିନ ମଧ୍ୟରେ ବାଚସ୍ପତି ଜାତୀୟ ଆସେମ୍ବଲିର ବୈଠକ ଡକାଇ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଗ୍ରହଣ କରିବେ । ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପାଇଁ ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ଜାତୀୟ ଆସେମ୍ବଲିରେ ଅତିକମରେ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଅର୍ଥାତ ବିରୋଧୀ ଦଳମାନେ ଅତିକମରେ ୧୭୨ ସଦସ୍ୟଙ୍କ ସମର୍ଥନ ଯୋଗାଡ଼ କରିପାରିଲେ ଇମ୍ରାନ ଖାଁ ଗାଦିଚ୍ୟୁତ ହେବା ନିଶ୍ଚିତ ।

ସମ୍ବନ୍ଧିତ ଖବର