ଏନ୍‌ଡିଏ ସରକାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଲୋକସଭାରେ କାଟ୍‌ ଖାଇଲା

ନୂଆଦିଲ୍ଲୀ : ଏନ୍‌ଡିଏ ସରକାରଙ୍କ ବିରୋଧରେ ତେଲୁଗୁ ଦେଶମ୍‌ ପାର୍ଟି ଓ କଂଗ୍ରେସ ଭଳିି ପ୍ରମୁଖ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଆଜି ଲୋକସଭାରେ କାଟ୍‌ ଖାଇଛି। ଅନାସ୍ଥା ପ୍ରସ୍ତାବ ବିରୋଧରେ ୩୨୫ଟି ଭୋଟ୍‌ ମିଳିଥିବା ବେଳେ ଅନାସ୍ଥା ସପକ୍ଷରେ ୧୨୬ ଭୋଟ୍‌ ମିଳିଥିଲା। ଲୋକସଭାରେ ଆଜି ମୋଟ ୫୩୪ ସାଂସଦଙ୍କ ମଧ୍ୟରୁ ୪୫୧ ଜଣ ଉପସ୍ଥିତ ଥିଲେ। ଦିନସାରା ବିତର୍କ ପରେ ରାତି ୧୧ଟା ୧୦ରେ ହୋଇଥିବା ଭୋଟିଂରେ ବହୁମତ ହାସଲ କରି ସରକାର ଆସ୍ଥା ଜିଣିଛନ୍ତି।

ଲୋକସଭାରେ ଗୁରୁବାର ସୁଦ୍ଧା ମୋଟ ସାଂସଦଙ୍କ ସଂଖ୍ୟା ୫୩୪ ଥିଲା ବେଳେ ବହୁମତ ପାଇଁ ୨୬୮ ନମ୍ବର ଦରକାର ପଡୁଥିଲା। ଫଳରେ ୨୭୩ ସାଂସଦବିଶିଷ୍ଟ ବିଜେପି ପାଇଁ ଆସ୍ଥା ଜିଣିବା ସହଜ ହୋଇଯାଇଥିଲା। ଗତକାଲି ଦଳ ପକ୍ଷରୁ ହ୍ଵିପ୍‌ ଜାରି କରାଯାଇଥିଲା। ଫଳରେ ଦଳର ପ୍ରାୟ ସବୁ ସାଂସଦ ଆଜି ଗୃହେରେ ଉପସ୍ଥିତ ଥିଲେ। ଗୁରୁବାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିପାରି ନ ଥିବା ଶିବସେନା ଆଜି ଭୋଟ୍‌କୁ ବର୍ଜନ କରି ବିଜେପିର ଚିନ୍ତା ବଢ଼ାଇ ଦେଇଥିଲା। କିନ୍ତୁ ଟିଆର୍‌ଏସ୍‌, ବିଜେଡିର କକ୍ଷତ୍ୟାଗ ପରେ ଏନ୍‌ଡିଏ ସରକାରଙ୍କ ଚିନ୍ତା ଦୂର ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ବିତର୍କରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକୁ କଡ଼ା ଜବାବ ଦେଇଛନ୍ତି। ବିରୋଧୀ ଦଳର ଅନାସ୍ଥା ପ୍ରସ୍ତାବ ସରକାର ବିରୋଧରେ ନୁହେଁ ଏହା କଂଗ୍ରେସ ଏବଂ ତାହାର ସାଥୀ ଦଳଙ୍କ ପାଇଁ ବୋଲି ମୋଦୀ କହଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରି ମୋଦୀ କହିଥିଲେ ଯେ ରାହୁଲ ପ୍ରଧାନମନ୍ତ୍ରୀ ଆସନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବହୁତ ବ୍ୟଗ୍ର ରହିଛନ୍ତି। କିନ୍ତୁ ଦେଶର ୧୨୫ କୋଟି ଲୋକ ହିଁ ଏ ବାବଦରେ ନିଷ୍ପତ୍ତି ନେଇପାରିବେ। ଏନ୍‌୍‌ଡିଏ ସରକାର ଆନ୍ଧ୍ର ପ୍ରଦେଶର ଲୋକଙ୍କ ଆଶା ଆକାଂକ୍ଷାକୁ ସମ୍ମାନ କରୁଛନ୍ତି ଏବଂ ଆନ୍ଧ୍ର ପ୍ରଦେଶର ସବୁ ବର୍ଗର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୋଦୀ କହିଛନ୍ତି। ଆନ୍ଧ୍ର ପ୍ରଦେଶ ବିଭାଜନ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଢଙ୍ଗରେ ହୋଇଥିଲା ଏବଂ କଂଗ୍ରେସର ଭୁଲ୍‌ ନୀତି ଯୋଗୁଁ ତେଲେଙ୍ଗାନା ବିବାଦ ଜନ୍ମ ନେଇଥିଲା। ଭାରତ ଓ ପାକିସ୍ତାନ ବିଭାଜନ ଭଳି ଆନ୍ଧ୍ର ପ୍ରଦେଶର ବିଭାଜନ କରାଯାଇଥିଲା ବୋଲି ମୋଦୀ କହିଛନ୍ତି। ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ପ୍ରସ୍ତାବ ଅନୁଯାୟୀ ସରକାର ଏବେ କାମ କରୁଛନ୍ତି ଏବଂ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପ୍ୟାକେଜ୍‌ ଦିଆଯାଇଛି। ଆନ୍ଧ୍ର ପ୍ରଦେଶକୁ ରାଜନୈତିକ କାରଣ ପାଇଁ ବିଭାଜନ କରାଯାଇଛି ବୋଲି ସେ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କହିଥିଲେ ଯେ ସେ ଚୌକିଦାର ନୁହନ୍ତି, ଦୁର୍ନୀତି ମାମଲାରେ ଭାଗିଦାର ହୋଇଯାଇଛନ୍ତି । ମୋଦି ଏହାର ଜବାବରେ କହିଛନ୍ତି , ମୁଁ ଗର୍ବର ସହିତ କହିବାକୁ ଚାହୁଛି ମୁଁ ଚୌକିଦାର ସହିତ ଭାଗିଦାର ମଧ୍ୟ । କିନ୍ତୁ କଂଗ୍ରେସ ଭଳି ସୌଦାଗର ନୁହେଁ। ମୁଁ ଲୋକଙ୍କ ସ୍ୱପ୍ନର ଭାଗିଦାର, ଦେଶର ବିକାଶର ଭାଗୀଦାର। କଂଗ୍ରେସ ନିଜର ଇତିହାସ ଭୁଲିବା ଉଚିତ ନୁହେଁ। ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ସମସ୍ତଙ୍କ ଭରସା ରହିବା ଉଚିତ ବୋଲି ମୋଦି କହିଛନ୍ତି। ରାହୁଲ ଗାନ୍ଧୀ ସଂସଦରେ ଆଜି ଆଖିମିଟିକା ମାରିଥିବାରୁ ତାଙ୍କୁ ମୋଦୀ ସମାଲୋଚନା କରିଥିଲେ। ନାମଦାର (ରାହୁଲ)ଙ୍କ ଆଖି ସହିତ ମୋ ଭଳି କାମଦାର ଆଖି ମିଳାଇପାରିବି ନାହିଁ ବୋଲି ସେ କହିଥିଲେ। ସମଗ୍ର ଦେଶ ଆଜି ଆଖିମିଟିକାକୁ ଦେଖି ଚକିତ ହୋଇଛି ବୋଲି ମୋଦୀ କହିଥିଲେ। ତେବେ ପ୍ରଧାନମନ୍ତ୍ରୀ ୯୦ ମିନିଟ୍‌ ଧରି ଭାଷଣ ଦେଇଥିବା ବେଳେ ମଝିରେ କେତେକ ବୟାନକୁ ବିରୋଧ କରି ଟିଡିପି ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିଥିଲେ।

ଆଜି ପୂର୍ବାହ୍ନ ୧୧ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଲୋକସଭାରେ ବିତର୍କ ଚାଲିଥିବା ବେଳେ ଅପରାହ୍ନରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତାଙ୍କ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ନିର୍ବାଚନୀ ପ୍ରଚାରରେ ମୋଦି ସରକାର ପ୍ରତ୍ୟେକ ଲୋକଙ୍କୁ ୧୫ ଲକ୍ଷ ଟଙ୍କା ଏବଂ ବର୍ଷକୁ ୨ କୋଟି ନିଯୁକ୍ତି ସୃଷ୍ଟି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଥିରୁ କୌଣସି ଗୋଟିଏ କଥା ରଖିବାରେ ସରକାର ସଫଳ ହୋଇନାହାନ୍ତି। ସେହିଭଳି ସରକାର ଗରିବ ଓ ଚାଷୀଙ୍କ କଥା ଚିନ୍ତା ନ କରି ବିମୁଦ୍ରାକରଣ ଘୋଷଣା କରିଦେଲେ। ଏହାଦ୍ୱାରା ଦେଶବାସୀ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଜିଏସ୍‌ଟି କଂଗ୍ରେସ ସରକାରଙ୍କ ମାନସ ସନ୍ତାନ ଥିଲା। କିନ୍ତୁ ଆମେ ଜିଏସ୍‌ଟିରେ ପେଟ୍ରୋଲ ଓ ଡିଜେଲକୁ ସାମିଲ ପାଇଁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ ଏ ସରକାର ସ୍ୱାର୍ଥ ପାଇଁ ଏହାକୁ ସାମିଲ କରିନାହିଁ। ଏହାଛଡ଼ା ଆମେ ଦେଶରେ ଏକକ ଟିକସ ଆଣିବାକୁ ଯୋଜନା କରିଥିଲୁ। କିନ୍ତୁ ମୋଦୀ ସରକାର ୫ଟି ଟିକସ ଆଣି ବ୍ୟବସାୟୀଙ୍କୁ ହଇରାଣ କରିଛନ୍ତି। ଏକ ରିପୋର୍ଟକୁ ଆଧାର କରି ରାହୁଲ କହିଥିଲେ, ଦେଶ ଏବେ ମହିଳାଙ୍କ ପାଇଁ ସବୁଠୁ ବିପଜ୍ଜନକ ହୋଇଛି। ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗରେ ସେ କହିଥିଲେ ଯେ ଆନ୍ଧ୍ର ସରକାରଙ୍କ ପ୍ରତି କେନ୍ଦ୍ର ସରକାର ଘୋର ଅନ୍ୟାୟ କରିଛନ୍ତି। ପ୍ରଧାମମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାହୁଲ କହିଥିଲେ ‘ଆପଣ ମୋତେ ପପ୍ପୁ ଡାକିପାରନ୍ତି, କିନ୍ତୁ ମୁଁ ଆପଣଙ୍କୁ ଘୃଣା କରେନାହିଁ। ସମସ୍ତେ ଭାବୁଛନ୍ତି ମୁଁ ବିଜେପି, ଆର୍‌ଏସ୍‌ଏସ୍‌କୁ ଘୃଣା କରୁଛି। କିନ୍ତୁ ତାହା ମିଛ। ବରଂ ଏମାନଙ୍କ ଯୋଗୁ ମୁଁ କଂଗ୍ରେସ ଓ ହିନ୍ଦୁସ୍ତାନର ଅର୍ଥ କ’ଣ ଜାଣିବାକୁ ସୁଯୋଗ ପାଇଛି।’ ରାହୁଲଙ୍କ ବୟାନକୁ ଅର୍ଥହୀନ, ଆଧାରହୀନ ଓ ହାସ୍ୟାସ୍ପଦ ବୋଲି ବିଜେପି ନେତାମାନେ କହିଥିଲେ।

ସମ୍ବନ୍ଧିତ ଖବର