୧୨ ରାଜ୍ୟରେ ଅକ୍ସିଜେନ୍‌ ଅଭାବରୁ କୌଣସି କରୋନା ମୃତ୍ୟୁ ହୋଇନି

ନୂଆଦିଲ୍ଲୀ : କରୋନା ଦ୍ବିତୀୟ ଲହରରେ ୧୨ ରାଜ୍ୟରେ ଅକ୍ସିଜେନ୍‌ ଅଭାବରୁ କୌଣସି କରୋନା ମୃତ୍ୟୁ ହୋଇନି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଏହା ଜଣାପଡ଼ିଛି। ଅକ୍ସିଜେନ୍‌ ଅଭାବ ଯୋଗୁଁ କେଉଁ ରାଜ୍ୟରେ କେତେ କୋଭିଡ୍‌ ମୃତ୍ୟୁ ହୋଇଛି ସେନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କଠାରୁ ତଥ୍ୟ ମାଗିଥିଲେ। ତେବେ ୧୩ଟି ରାଜ୍ୟ ଏ ବାବଦ ତଥ୍ୟ ‌କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଥିବା ଜଣାପଡ଼ିଛି। ଏଥିମଧ୍ୟରୁ ୧୨ ଟି ରାଜ୍ୟ ଅକ୍ସିଜେନ୍‌ ଅଭାବରୁ କୌଣସି ମୃତ୍ୟୁ ହୋଇନଥିବା କହିଛନ୍ତି।

ଏହି ୧୨ଟି ରାଜ୍ୟ ହେଲେ ଓଡ଼ିଶା, ଅରୁଣାଚଳପ୍ରଦେଶ, ଉତ୍ତରାଖଣ୍ଡ, ନାଗାଲାଣ୍ଡ୍‌, ଆସାମ, ସିକ୍କିମ, ତ୍ରିପୁରା, ଝାଡ଼ଖଣ୍ଡ, ହିମାଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ୍‌, ଜମ୍ମୁ କାଶ୍ମୀର। ତେବେ ପଂଜାବରେ ୪ ଅକ୍ସିଜେନ୍‌ ଅଭାବ ଜନିତ ସନ୍ଦିଗ୍ଧ ମୃତ୍ୟୁ ହୋଇଥିବା ତଥ୍ୟ ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ରାଜ୍ୟସଭାରେ କହିଥିଲେ କୋଭିଡ୍‌ ଦ୍ବିତୀୟ ଲହରରେ ଅକ୍ସିଜେନ୍‌ ଅଭାବରୁ କୌଣସି ମୃତ୍ୟୁ ‌ହୋଇନି। ତେବେ ବିରୋଧୀମାନେ ଉକ୍ତ ପ୍ରସଙ୍ଗରେ ସରକାରଙ୍କୁ ‌ଘେରିଥିଲେ। କିନ୍ତୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟା ଏସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ତଥ୍ୟ ମୁତାବକ ଏହି ସୂଚନା ଦିଆଯାଇଛି। ଉକ୍ତ ଘଟଣାକୁ ନେଇ ବିବାଦ ବଢ଼ିବାରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କଠାରୁ ତଥ୍ୟ ମାଗିଥିଲେ।

ସମ୍ବନ୍ଧିତ ଖବର