ପ୍ୟାରିସ ସ୍ଥିତ ଭାରତୀୟ ବାୟୁସେନାର ରାଫେଲ ଅଫିସରୁ କୌଣସି ତଥ୍ୟ ଚୋରୀ ହୋଇନାହିଁ : ରିପୋର୍ଟ

ନୂଆଦିଲ୍ଲୀ : ଗତ ମାସରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଥିବା ଭାରତୀୟ ବାୟୁସେନାର ରାଫେଲ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଅଫିସରେ ଚୋରୀ ଉଦ୍ୟମ ହୋଇଥିଲା । ତେବେ ଏହି ଘଟଣାରେ କମ୍ପ୍ୟୁଟରରୁ କୌଣସି ତଥ୍ୟ ଚୋରୀ ହୋଇନାହିଁ ବୋଲି ଭାରତୀୟ ବାୟୁସେନାର ତଦନ୍ତକାରୀ ଦଳ ଜାଣିବାକୁ ପାଇଛି । ଏହା ଫଳରେ ବାୟୁସେନା ଆଶ୍ୱସ୍ତ ହୋଇଛି ।

ଗତ ୨୨ ତାରିଖରେ ପ୍ୟାରିସରେ ଥିବା ଭାରତୀୟ ବାୟୁସେନାର ରାଫେଲ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଅଫିସରେ କେହି ଜଣେ ଝରକା ଭାଙ୍ଗି ଚୋରୀ ଉଦ୍ୟମ କରିଥିବା ଜଣାପଡିଥିଲା । ଏହି ଘଟଣା ଘଟିବା ପରେ ବାୟୁସେନା ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ ପ୍ୟାରିସ ପଠାଯାଇଥିଲା, ସେଥିରେ ସାଇବର ଫୋରେନସିକ ବିଶେଷଜ୍ଞ ମଧ୍ୟ ଥିଲେ ।

ପ୍ୟାରିସ ଉପକଣ୍ଠରେ ଥିବା ଏହି ଅଫିସଟି ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ ଡିଲ ସଂପର୍କିତ କାର୍ଯ୍ୟ, ଭାରତୀୟ ପାଇଲଟ ଓ ଇଂଜିନିୟରଙ୍କ ଟ୍ରେନିଂ, ବିମାନର ରକ୍ଷଣାବେକ୍ଷଣ ଆଦି ସଂପର୍କିତ କାର୍ଯ୍ୟ କରିଥାଏ । ଭାରତ ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କିଣିବା ପାଇଁ ଚୁକ୍ତି କରିଛି ।

ସମ୍ବନ୍ଧିତ ଖବର