ଅସମ୍ଭବକୁ ସମ୍ଭବ କରି ଦେଖାଇଲା ଭାରତୀୟ ରେଳ, ୨୦୧୯ରେ ରେଳ ଦୁର୍ଘଟଣାରେ କେହି ମରିନାହାନ୍ତି

ନୂଆଦିଲ୍ଲୀ : ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛି ଭାରତୀୟ ରେଳ । ୨୦୧୯ ହେବାକୁ ଯାଉଛି ଭାରତୀୟ ରେଳ ଇତିହାସରେ ସବୁଠାରୁ ନିରାପଦ ବର୍ଷ । ଅର୍ଥାତ୍‌ ଚଳିତ ବର୍ଷ ରେଳ ଦୁର୍ଘଟଣାରେ କୌଣସି ଯାତ୍ରୀ ପ୍ରାଣ ହରାଇନାହାନ୍ତି ।

୨୦୧୮-୧୯ରେ ରେଳ ଦୁର୍ଘଟଣାରେ ୧୬ ଜଣ, ୨୦୧୭-୧୮ରେ ୨୮ ଜଣ ଓ ୨୦୧୬-୧୭ରେ ୧୯୫ ଜଣ ପ୍ରାଣ ହରାଇଥିଲେ । ୧୯୯୦ରୁ ୧୯୯୫ ମଧ୍ୟରେ ପ୍ରତିବର୍ଷ ହାରାହାରି ୫୦୦ ଲୋକ ରେଳ ଦୁର୍ଘଟଣାରେ ପ୍ରାଣ ହରାଉଥିଲେ । ୨୦୧୩-୨୦୧୮ ମଧ୍ୟରେ ଏହି ସଂଖ୍ୟା ବର୍ଷକୁ ୧୧୦କୁ ଖସିଆସିଥିଲା । ଏହି ୫ ବର୍ଷରେ ମୋଟ ୯୯୦ ଜଣ ପ୍ରାଣ ହରାଇଥିଲେ ଓ ପ୍ରାୟ ୧୫୦୦ ଜଣ ଆହତ ହୋଇଥିଲେ । ସୂଚନାଯୋଗ୍ୟ ଯେ ରେଳ ଦୁର୍ଘଟଣା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ଟ୍ରେନ-ଟ୍ରେନ ମଧ୍ୟରେ ଧକ୍କା, ଟ୍ରେନ ଲାଇନଚ୍ୟୁତ ହେବା, ନିଆଁ ଲାଗିବା, ଲେବଲ କ୍ରସିଂରେ ଦୁର୍ଘଟଣା ଇତ୍ୟାଦି ।

ମୃତ ବ୍ୟକ୍ତିମାନଙ୍କୁ ମଧ୍ୟ ରେଳ କର୍ମଚାରୀ, ଯାତ୍ରୀ ଓ ଅନ୍ୟମାନଙ୍କ ମଧ୍ୟରେ ବର୍ଗୀକରଣ କରାଯାଏ । ତେବେ ରେଳ ଲାଇନକୁ ଆସି କଟିଯିବାକୁ ରେଳ ବିଭାଗ ଦୁର୍ଘଟଣା ଜନିତ ମୃତ୍ୟୁ ଭାବେ ଗଣେ ନାହିଁ । ଗତ ବର୍ଷ ଦଶହରାଦିନ ଅମୃତସରଠାରେ ରେଳଧାରଣା ଉପରେ ବସି ରାବଣପୋଡ଼ି ଦେଖୁଥିବା ଅବସ୍ଥାରେ ପ୍ରାୟ ୫୯ ଜଣ ମୃତ୍ୟୁବରଣ କରିଥିଲେ ଓ ୧୦୦ରୁ ଅଧିକ ଆହତ ହୋଇଥିଲେ । ଏହି ଘଟଣାକୁ ରେଳବାଇ ପକ୍ଷରୁ ଦୁର୍ଘଟଣା ମୃତ୍ୟୁ ହିସାବକୁ ନିଆଯାଇନାହିଁ । କାରଣ ଦେଖଣାହାରୀମାନେ ରେଳ ଧାରଣାରେ ଅନୁପ୍ରବେଶ କରିଥିଲେ ବୋଲି ରେଳବାଇ କହିଛି ।

ସମ୍ବନ୍ଧିତ ଖବର