ବୁଲେଟ୍‌ ଟ୍ରେନ ପ୍ରକଳ୍ପ ବାତିଲ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ : ଉଦ୍ଧବ

ମୁମ୍ବାଇ : ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଗୁରୁବାରଦିନ ଦେବେନ୍ଦ୍ର ଫଡନବୀସ ସରକାର ଅମଳରେ ହୋଇଥିବା ସବୁ ପ୍ରକଳ୍ପ ସମୀକ୍ଷା କରିଛନ୍ତି । ତେବେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା ହୋଇଥିଲେ ମଧ୍ୟ କୌଣସି ପ୍ରକଳ୍ପକୁ ରଦ୍ଦ କରାଯାଇନାହିଁ ,ଏପରିକି କେତେକ ପ୍ରକଳ୍ପକୁ ତ୍ୱରାନ୍ଵିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବହୁଚର୍ଚ୍ଚିତ ମୁମ୍ବାଇ-ଅହମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପ ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି । କିଛି ଦିନ ପୂର୍ବରୁ ଉଦ୍ଧବ କହିଥିଲେ ଯେ ସେ ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ମୁମ୍ବାଇ-ଅହମଦାବାଦ ବୁଲେଟ୍‌ ଟ୍ରେନ ପ୍ରକଳ୍ପକୁୁ ଜାପାନ ସହାୟତାରେ ନିର୍ମାଣ କରାଯାଉଛି । ୨୦୧୭ ସେପ୍ଟେମ୍ବର ମାସରେ ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମିଳିତଭାବେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅହମଦାବାଦର ସାବରମତୀ ଷ୍ଟେସନରୁ ବାହାରି ମୁମ୍ବାଇ ପହଞ୍ଚିବାକୁ ବୁଲେଟ ଟ୍ରେନକୁ ମାତ୍ର ୨ ଘଣ୍ଟା ସମୟ ଲାଗିବ । ଅର୍ଥାତ ୫୦୮ କିଲୋମିଟର ଦୂରତ୍ୱ ମାତ୍ର ୨ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ । ଏହାର ସର୍ବାଧିକ ଘଣ୍ଟାପ୍ରତି ବେଗ ୩୨୦ କିଲୋମିଟର ରହିବ । ତେବେ ଏହି ପ୍ରକଳ୍ପକୁ ଚାଷୀ ଓ ଆଦିବାସୀମାନେ ବିରୋଧ କରୁଛନ୍ତି ।

ସମ୍ବନ୍ଧିତ ଖବର