ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୂଡ଼ାନ୍ତ ହୋଇନାହିଁ : ବିଜେପି

ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରି ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ଖୁବ ଶୀଘ୍ର ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିପାରେ । ତେବେ ବିଜେପି ଏପର୍ଯ୍ୟନ୍ତ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୂଡ଼ାନ୍ତ କରିନାହିଁ ।

ବିଜେପିର ଦିଲ୍ଲୀ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏ ସଂପର୍କରେ ଦଳରେ କୌଣସି ନିଷ୍ପତ୍ତି ହେଲେ ସେ ସଂପର୍କରେ ସୂଚନା ଦିଆଯିବ । ସେ କହିଛନ୍ତି ଯେ ଦିଲ୍ଲୀରେ ବିଜେପି ନରେନ୍ଦ୍ର ମୋଦୀ ସରକାରର ସଫଳତାକୁ ନେଇ ନିର୍ବାଚନ ଲଢିବ ଓ ବିପୁଳ ବିଜୟ ହାସଲ କରିବ ।

ଅନ୍ୟପକ୍ଷରେ ଦିଲ୍ଲୀରେ ହୋଇଥିବା ନାଗରିକତା (ସଂଶୋଧନ) ଆଇନ ବିରୋଧୀ ହିଂସା ପଛରେ କଂଗ୍ରେସ ଓ ଆମ ଆଦମୀ ପାର୍ଟି (ଆପ୍‌) ଅଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପୂର୍ବତନ ଆଇପିଏସ ଅଫିସର କିରଣ ବେଦୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ଉପସ୍ଥାପନ କରିଥିଲା । କିନ୍ତୁ ଏହି ନିର୍ବାଚନରେ ଆମ ଆଦମୀ ପାର୍ଟି ବିପୁଳ ସଫଳତା ହାସଲ କରିଥିବାବେଳେ ବିଜେପି ଶୋଚନୀୟଭାବେ ପରାସ୍ତ ହୋଇଥିଲା । ଏହି ନିର୍ବାଚନରେ ଆପ ମୋଟ ୭୦ରୁ ୬୭ଟି ଆସନ ଜିତିଥିବାବେଳେ ବିଜେପି ମାତ୍ର ୩ଟି ଆସନ ଜିତିଥିଲା । ଏହି ପରାଜୟ ପରେ କିରଣ ବେଦୀଙ୍କୁ ପୁଡ଼ୁଚେରୀର ଉପ-ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା ।

ସମ୍ବନ୍ଧିତ ଖବର