ପାକିସ୍ତାନକୁ ବନ୍ୟା ସହାୟତା ପଠାଇବା ନେଇ ନିଷ୍ପତ୍ତି ନେଇନି ଭାରତ

ନୂଆଦିଲ୍ଲୀ : ପାକିସ୍ତାନ ଭାରତ ସହ ବାଣିଜ୍ୟ ସଂପର୍କ ଆରମ୍ଭ କରିବାକୁ ସଂକେତ ଦେଇଥିଲେ ବି ଭାରତ ସରକାର ଏ ନେଇ କୌଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନାହାନ୍ତି । ଏପରିକି ପାକିସ୍ତାନକୁ ମାନବୀୟ ସହାୟତା ପଠାଇବା ସମ୍ପର୍କରେ ବି ଭାରତ କୌଣସି ନିଷ୍ପତ୍ତି ନେଇନାହିଁ । ତେବେ ଅନ୍ତର୍ଜାତୀୟ ଏଜେନ୍ସିମାନେ ଯଦି କୌଣସି ଅନୁରୋଧ କରନ୍ତି ତେବେ ସେ ନେଇ ବିଚାର କରାଯାଇପାରେ ବୋଲି ଭାରତ ସଂକେତ ଦେଇଛି ।

ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ, ପାକିସ୍ତାନ ନିଜ ତରଫରୁ ୨୦୧୯ରେ ବାଣିଜ୍ୟ ସଂପର୍କ କାଟି ଦେଇଥିବାବେଳେ, ପୁଣି ସଂପର୍କ ଆରମ୍ଭ କରିବାକୁ ହେଲେ ଇସ୍ଲାମାବାଦକୁ ଉଦ୍ୟମ କରିବାକୁ ପଡ଼ିବ  ବୋଲି ଭାରତ ସଂକେତ ଦେଇଛି ।

ପାକିସ୍ତାନରେ ଚାଲିଥିବା ଭୟଙ୍କର ବନ୍ୟା ପରିପ୍ରେକ୍ଷୀରେ ପାକିସ୍ତାନର ଅର୍ଥମନ୍ତ୍ରୀ ମିଫତା ଇସମାଇଲ ଭାରତ ସହ ବାଣିଜ୍ୟ ସଂପର୍କ ଆରମ୍ଭ କରିବା ବିଷୟରେ ଘୋଷଣା କରିଥିଲେ । ତେବେ ଏହାର ଦିନକ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବାଣିଜ୍ୟ କାରବାରକୁ କଶ୍ମୀର ପ୍ରସଙ୍ଗସହ ଯୋଡ଼ିଥିଲେ । ଏହାକୁ ଭାରତ ପସନ୍ଦ କରୁନଥିବା ମନେ କରାଯାଉଛି ।

ଭାରତ ସରକାର ଗତ ୨୦୧୯ ଅଗଷ୍ଟରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପ୍ରତିବାଦରେ ଭାରତ ସହ ବାଣିଜ୍ୟ କାରବାର ବନ୍ଦ କରିଥିଲା ପାକିସ୍ତାନ । ମାତ୍ର ଭାରତରୁ ବିଭିନ୍ନ ସାମଗ୍ରୀ ଆମଦାନୀ ବନ୍ଦ କରିବା ପରେ ଅନ୍ୟ ଦେଶରୁ ଆମଦାନୀ କରିବା ମହଙ୍ଗା ପଡ଼ିଥିଲା । ଏଥିପାଇଁ ପାକିସ୍ତାନରେ ବିଭିନ୍ନ ସାମଗ୍ରୀର ଦର ହୁ ହୁ ହୋଇ ବଢିଚାଲିଥିଲା । ପୁଣି ଏବେ ଭୟଙ୍କର ବନ୍ୟା ହେବା ପରେ ପାକିସ୍ତାନର ସ୍ଥିତି ଆହୁରି ସାଂଘାତିକ ହୋଇଯାଇଛି ।

ସମ୍ବନ୍ଧିତ ଖବର