କୋଲକାତା: ନାଗରିକତା ସଂଶୋଧନ ଆଇନ୍ ନିଜ ରାଜ୍ୟରେ କାର୍ଯ୍ୟକାରୀ ହେବ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ବଞ୍ଚି ଥାଉ ଥାଉ ରାଜ୍ୟରେ ବିଦେଶୀଙ୍କ ଲାଗି ‘ଅଟକ କେନ୍ଦ୍ର’ ବି ଖୋଲାଯିବ ନାହିଁ ବୋଲି ମମତା ନୈହାଟୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଟିଏମ୍ସି ସୁପ୍ରିମୋ ମମତା ଆହୁରି ବି କହିଛନ୍ତି, ‘ଦେଶର ନାଗରିକମାନଙ୍କ ନାଗରିକତା ଅଧିକାରକୁ କେହି ବି ଛଡ଼ାଇ ନେଇ ପାରିବେନି। ପଶ୍ଚିମବଙ୍ଗରେ ମୁଁ ଜୀବିତ ଥିବା ପର୍ଯ୍ୟନ୍ତ କୌଣସି ‘ଅଟକ କେନ୍ଦ୍ର’ ଏଠାରେ ଖୋଲିବ ନାହିଁ।’
ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ବିରୋଧ ପ୍ରଦର୍ଶନକୁ ମମତା ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି କି ଯଦି ୧୮ ବର୍ଷ ବୟସରେ ଭୋଟ୍ ଦେବାର ଯୋଗ୍ୟତା ଅଛି ତେବେ ସେହି ବୟସର ଛାତ୍ରଛାତ୍ରୀମାନେ ନିଜର ମତ ସାବ୍ୟସ୍ତ କରିବାରେ ବା ବିରୋଧ ପ୍ରଦର୍ଶନ କରିବାରେ ଅସୁବିଧା କ’ଣ?
ମମତା ଏନ୍ଆର୍ସିକୁ ବିରୋଧ କରି କହିଛନ୍ତି, ‘ପଶ୍ଚିମବଙ୍ଗରେ ଏନ୍ଆର୍ସି ଲାଗୁ ହେବ ନାହିଁ। ଧର୍ମ ନାମରେ ଦେଶ ବିଭାଜନ ହେବ ନାହିଁ। ଛାତ୍ରଛାତ୍ରୀମାନେ କାହିଁକି ଏପରି ଏକ ମନମୁଖୀ ଆଇନ୍କୁ ସମର୍ଥନ କରିବେ? କେନ୍ଦ୍ର ଛାତ୍ରଛାତ୍ରୀମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ବିଶ୍ବବିଦ୍ୟାଳୟରୁ ତଡ଼ି ଦେଉଛି? ’‘ଅଟକ କେନ୍ଦ୍ର’କୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋର୍ଦାର ଲଢ଼େଇ ହେବାର ପରଦିନ ମମତା ଏପରି ମତ ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ଦେଶର କୌଣସିଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ‘ଅଟକ କେନ୍ଦ୍ର’ର ନିର୍ମାଣ କରାଯାଉ ନାହିଁ। କେବଳ ମାତ୍ର ନାଗରିକତା (ସଂଶୋଧନ) ଆଇନ୍କୁ ବିରୋଧ ଆଳରେ ଚାଲିଥିବା ହିଂସାକୁ ଉସ୍କାଇବା ଉଦ୍ଦେଶ୍ୟରେ କଂଗ୍ରେସ ଓ ‘ସହରୀ ନକ୍ସଲ’ଙ୍କ ପକ୍ଷରୁ ଏପ୍ରକାରର ମିଥ୍ୟା ଅପପ୍ରଚାର ଚାଲିଛି ବୋଲି ମୋଦୀଙ୍କ ମନ୍ତବ୍ୟକୁ ନେଇ ତାଙ୍କୁ ମିଛୁଆ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ। ସେ ତାଙ୍କ ଟୁଇଟର ହାଣ୍ଡେଲରେ ବିବିସି ହିନ୍ଦୀ ନ୍ୟୁଜ୍ ଚ୍ୟାନେଲରେ ପ୍ରଦର୍ଶିତ କରାଯାଇଥିବା; ଆସାମରେ ଜୋରସୋରରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ‘ଅଟକ କେନ୍ଦ୍ର’ର ଏକ ଭିଡିଓ ପୋଷ୍ଟ୍ କରି ଲେଖିଥିଲେ, ‘ଆର୍ଏସ୍ଏସ୍ର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହିଛନ୍ତି’।