ନୂଆଦିଲ୍ଲୀ: ଇଣ୍ଡିଆ ଓ ଭାରତ ମଧ୍ୟରେ କୌଣସି ପ୍ରଭେଦ ନାହିଁ, କିନ୍ତୁ ଏହା ଉପରେ ବିବାଦ ସୃଷ୍ଟି କରିବାକୁ କେତେକ ହତାଶ ବ୍ୟକ୍ତି ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ବୋଲି ଗୁରୁବାର ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ସମସ୍ତ ପାଠ୍ୟପୁସ୍ତକରେ ‘ଇଣ୍ଡିଆ’ ସ୍ଥାନରେ ‘ଭାରତ’ ଛାପିବା ଲାଗି ‘ନ୍ୟାସ୍ନାଲ୍ କାଉନ୍ସିଲ୍ ଫର୍ ଏଜୁକେସ୍ନାଲ୍ ରିସର୍ଚ ଆଣ୍ଡ୍ ଟ୍ରେନିଙ୍ଗ୍’ଦ୍ବାରା (ଏନ୍ସିଇଆର୍ଟି) ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରସ୍ତାବ କାରଣରୁ ଆରମ୍ଭ ହୋଇଥିବା ରାଜନୈତିକ ବିବାଦର ଗୋଟିଏ ଦିନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।
ଏହି ପ୍ରସ୍ତାବ ବିରୋଧୀ ଦଳଗୁଡ଼ିକରେ, ବିଶେଷତଃ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସେମାନେ ଏହି ପଦକ୍ଷେପକୁ ‘ରାଜନୈତିକ କୌଶଳ’ ଏବଂ ‘ଇତିହାସକୁ ବିକୃତ କରିବା ଉଦ୍ୟମ’ ବୋଲି କହୁଛନ୍ତି।
‘ନୂତନ ଶିକ୍ଷାନୀତି-୨୦୨୦’ ପ୍ରବର୍ତ୍ତନ ସଂକ୍ରାନ୍ତରେ ଗୁଜରାଟର ନର୍ମଦା ଜିଲ୍ଲାରେ ‘ଭାଇସ୍ ଚାନ୍ସେଲର୍ଙ୍କ କନ୍ଫରେନ୍ସ୍’ରେ ଉଦ୍ବୋଧନ ଦେବା ବେଳେ ପ୍ରଧାନ କହିଲେ, ଆମ ଦେଶ ଇଣ୍ଡିଆ ନା ଭାରତ ଭାବେ ପରିଚିତ ହେବା ଉଚିତ- ଏ କଥାକୁ ନେଇ କିଛି ଦିନ ହେବ ବିବାଦ ଚାଲିଛି। କିନ୍ତୁ, ପ୍ରଭେଦ କ’ଣ? ଭାରତ ଓ ଇଣ୍ଡିଆ ମଧ୍ୟରେ ପ୍ରଭେଦ ନାହିଁ। ଏ ଦେଶର ନାଁ ହେଉଛି ଭାରତ। ଉପନିବେଶ କାଳରେ ଇଂରାଜୀ-ଭାଷୀ ଲୋକେ ଏ ଦେଶର ନାଁ ଦେଇଥିଲେ ‘ଇଣ୍ଡିଆ’। ଆମ ସମ୍ବିଧାନ ଉଭୟ ‘ଭାରତ’ ଓ ‘ଇଣ୍ଡିଆ’କୁ ଗୁରୁତ୍ବ ଦେଇଛି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଭାରତ ହେଉଛି ଏକ ଭାରତୀୟ ନାଁ। ଏହି ମୂଳ ନାଁ ସଭ୍ୟତା ଆରମ୍ଭରୁ ଥିଲା। କିନ୍ତୁ, ଏହାକୁ ନେଇ ବିବାଦ ସୃଷ୍ଟି କରିବା ପାଇଁ ସମ୍ପ୍ରତି କେତେକ ହତାଶ ବ୍ୟକ୍ତିଙ୍କ ମୁଣ୍ଡରେ ପ୍ରତିଦ୍ବନ୍ଦ୍ବିତା ଭାବ ଉତ୍ପନ୍ନ ହୋଇଛି।
ଉଲ୍ଲେଖଯୋଗ୍ୟ, ‘ଏନ୍ସିଇଆର୍ଟି’ର ସାମାଜିକ ବିଜ୍ଞାନ କମିଟିର ଅଧ୍ୟକ୍ଷ ସି. ଆଇ. ଆଇଜାକ୍ କହିଥିଲେ ଯେ, ପ୍ରସ୍ତାବିତ ନାମ ପରିବର୍ତ୍ତନ ହେଉଛି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ୭ଜଣିଆ ସଦସ୍ୟବିଶିଷ୍ଟ କମିଟିର ସର୍ବସମ୍ମତ ସୁପାରିସର ଅଂଶବିଶେଷ। କିନ୍ତୁ, ‘ଏନ୍ସିଇଆର୍ଟି’ର ଅଧ୍ୟକ୍ଷ ଦିନେଶ ସକ୍ଲାନି ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, କମିଟିର ସୁପାରିସ ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ।