ଆଲୋଚନାର ବେଳ ଆଉ ନାହିଁ:ଏଣିକି ସିଧା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆତଙ୍କବାଦ ସମସ୍ୟାର ସମାଧାନ ପାଇଁ ଆଉ କାହା ସହ ଆଲୋଚନା କରିବାର ବେଳ ସରିଯାଇଛି। ଏବେ ଆତଙ୍କବାଦୀ ଏବଂ ସେମାନଙ୍କ ସଂଗଠନ ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ହିଁ ସମୟର ଆହ୍ବାନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆର୍ଜେଣ୍ଟିନା ରାଷ୍ଟ୍ରପତି ମୋରିସିଓ ମାକ୍ରିଙ୍କ ସହ ଆଲୋଚନା ପରେ ମୋଦୀ ଏଭଳି ଆଭିମୁଖ୍ୟ ରଖିଛନ୍ତି। ଏପରିକି ଆତଙ୍କବାଦୀଙ୍କ ସମର୍ଥକମାନଙ୍କ ଉପରେ ପି ଅନୁରୂପ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଆହ୍ବାନ କରିଛନ୍ତି। ଅପରପକ୍ଷେ, ଆତଙ୍କବାଦ ବିରୋଧରେ ମୋଦୀଙ୍କ ଆହ୍ବାନକୁ ଗୁରୁତ୍ବ ଦେଇ ଏଥି ପାଇଁ ବିଶ୍ବବ୍ୟାପୀ ମିଳିତ ପଦକ୍ଷେପ ହିଁ ଜରୁରୀ ହୋଇପଡ଼ିଛି ବୋଲି ବୋଲି ରାଷ୍ଟ୍ରପତି ମାକ୍ରି କହିବା ସହ ଏଥିରେ ସାମିଲ ହେବାକୁ ଆର୍ଜେଣ୍ଟିନା ପ୍ରସ୍ତୁତ ହୋଇ ରହିଛି ବୋଲି ମତ ରଖିଛନ୍ତି।
ପୁଲଵାମାରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ବର୍ବର କାଣ୍ଡ ପରେ ଆଜି ଆର୍ଜେଣ୍ଟିନା ରାଷ୍ଟ୍ରପତି ମାକ୍ରିଙ୍କ ସହ କଥାବାର୍ତ୍ତା ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଆଶା ପୋଷଣ କରିଛନ୍ତି। ଆତଙ୍କବାଦୀ ସଂଗଠନଗୁଡ଼ିକୁ ସାବାଡ଼ କରିବା ପାଇଁ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବାର ସମୟ ଆଉ ନାହିଁ। ପାକିସ୍ତାନର ନାଁ ନନେଇ ମୋଦୀ କହିଥିଲେ ଯେ ଆତଙ୍କବାଦକୁ ଯେଉଁମାନେ ସମର୍ଥନ କରୁଛନ୍ତି ସେମାନେ ପୁଲଵାମା ପରି ନରସଂହାରକୁ ପସନ୍ଦ କରୁଛନ୍ତି। ତେଣୁ ବିଶ୍ବ ସମ୍ପ୍ରଦାୟ ଏକଜୁଟ୍ ହୋଇ ଏହି ପିଶାଚ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡ଼ିଛି। ରାଷ୍ଟ୍ରପତି ମାକ୍ରି ମଧ୍ୟ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିବା ସହ ଉଭୟ ଦେଶ ଆତଙ୍କବାଦ ବିରୋଧରେ ମିଳିମିଶି କାମ କରିବାକୁ ଆଶାବ୍ୟକ୍ତ କରିଥିଲେ।
ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଦ୍ବିପାକ୍ଷିକ ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ପରେ ଉଭୟ ରାଷ୍ଟ୍ରମୁଖ୍ୟ ପ୍ରତିରକ୍ଷା, ଆଣବିକ ଶକ୍ତି, ପର୍ଯ୍ୟଟନ. ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ କୃଷି ସଂକ୍ରାନ୍ତ ୧୦ଟି ରାଜିନାମାରେ୍ ସ୍ବାକ୍ଷର କରିଥିଲେ। ପରେ ମୋଦୀ ସାମ୍ବାଦିକ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଏଭଳି କଡ଼ା ଆଭିମୁଖ୍ୟ ପ୍ରକାଶ କରିଥିଲେ। ସୂଚନା ଥାଉ କି, ପୁଲଵାମା ଆକ୍ରମଣ ପରେ କୌଣସି ପ୍ରଥମ ରାଷ୍ଟ୍ର ମୁଖ୍ୟ ଭାବେ ମାକ୍ରି ଭାରତ ଗସ୍ତ କରିଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ପ୍ରସଙ୍ଗରେ ଭାରତ ଓ ଆର୍ଜେଣ୍ଟିନା ସମସ୍ବର ବୋଲି ମୋଦୀ କହିଛନ୍ତି। ସେହିପରି ଭାରତର ଏନଏସଜି ପ୍ରବେଶ ପରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆର୍ଜେଣ୍ଟିନା ଭାରତକୁ ଅକୁଣ୍ଠ ସମର୍ଥନ କରିଆସିଛି।

ସମ୍ବନ୍ଧିତ ଖବର