ବାତ୍ୟା ‘ୟାସ୍‌’ ଯୋଗୁଁ ଇସ୍ପାତ ଉତ୍ପାଦନ କିଂବା ଅମ୍ଳଜାନ ଯୋଗାଣ ବ୍ୟାହତ ହୋଇନାହିଁ

ନୂଆଦିଲ୍ଲୀ: ବୁଧବାର ଦିନ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବାହିତ ସାମୁଦ୍ରିକ ବାତ୍ୟା ‘ୟାସ୍‌’ କାରଣରୁ ଇସ୍ପାତ ଉତ୍ପାଦନ ଏବଂ ଅମ୍ଳଜାନ ଯୋଗାଣ ବ୍ୟାହତ ‌ହୋଇ ନ ଥିବା କଥା ଇସ୍ପାତ ମନ୍ତ୍ରାଳୟ କହିଛି।

ଇସ୍ପାତ ନିର୍ମାଣ ଏବଂ ଅମ୍ଳଜାନ ଉତ୍ପାଦନ ଉପରେ ବାତ୍ୟା ‘ୟାସ୍‌’ର ସମ୍ଭାବ୍ୟ ପ୍ରଭାବ ଆକଳନ କରିବା ଲାଗି ମେ ୨୩ ତାରିଖ ଦିନ ଇସ୍ପାତ ମନ୍ତ୍ରାଳୟ ‘ଡିପାର୍ଟମେଣ୍ଟ୍‌ଫର୍‌ ପମୋସନ୍ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ୍‌ ଇଣ୍ଟର୍‌ନାଲ୍‌ ଟ୍ରେଡ୍‌’ ସମେତ ସମସ୍ତ ପ୍ରମୁଖ ଇସ୍ପାତ ନିର୍ମାତାଙ୍କର ଏକ ବୈଠକ ଡକାଇଥିଲା। ଏଥିରେ ଶକ୍ତି ମନ୍ତ୍ରାଳୟ ଏବଂ ବାତ୍ୟା ପ୍ରବାହିତ ହେବାକୁ ଥିବା ରାଜ୍ୟ ସରକାରଙ୍କର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।

କେବଳ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଥିବା କାରଖାନାଗୁଡ଼ିକ ପ୍ରଭାବିତ ହେବ ବୋଲି ଉକ୍ତ ବୈଠକରେ ଆଶଙ୍କା କରାଯାଇଥିଲା। ତେଣୁ, ବିଦ୍ୟୁତ୍ ସରବରାହ ବ୍ୟାହତ ନ ହେବା ଲାଗି ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ଉତ୍ପାଦନ ଅବ୍ୟାହତ ରଖିବା ଲାଗି ଓଡ଼ିଶାର ଅନଗୁଳ ଏବଂ ଝାରସୁଗୁଡ଼ାରେ ଥିବା ‘ଜେଏସ୍‌ପିଏଲ୍‌’ ଏବଂ ‘ଜେଏସ୍‌ଡବ୍ଲୁ’ର କାରଖାନାଗୁଡ଼ିକ ମଧ୍ୟ ଉପରୋକ୍ତ ପଦକ୍ଷେପ ନେଇଥିଲେ। ଏହାଛଡ଼ା, ଓଡ଼ିଶାର କଳିଙ୍ଗନଗର ଏବଂ ଅନଗୁଳ କାରଖାନା ଉପରେ ନିର୍ଭରଶୀଳ ରାଜ୍ୟମାନେ ୨ ରୁ ୪ ଦିନ ପର୍ଯ୍ୟନ୍ତ ଟାଟାର ଜାମସେଦପୁର କାରଖାନାରୁ ଇସ୍ପାତ ନେବେ ବୋଲି ଏହି ବୈଠକରେ ଯୋଜନା କରାଯାଇଥିଲା।

Image Courtesy of India Today

କିନ୍ତୁ, ବାତ୍ୟା ସତ୍ତ୍ବେ ଓଡ଼ିଶାର ଅନଗୁଳ, କଳିଙ୍ଗନଗର ଏବଂ ରାଉରକେଲାରେ ଅବସ୍ଥିତ କାରଖାନାରେ ବିଜୁଳି ସରବରାହ ବ୍ୟାହତ ହୋଇ ନ ଥିବା କଥା ଇସ୍ପାତ ମନ୍ତ୍ରାଳୟ କହିଛି। ଓଡ଼ିଶାରେ କାରଖାନା ଥିବା ଟାଟା କମ୍ପାନିର ପ୍ରତିନିଧିମାନେ ମଧ୍ୟ କହିଛନ୍ତି କି, ଟାଟା ଷ୍ଟିଲ୍‌ ପ୍ଲାଣ୍ଟ୍‌ରୁ ତରଳ ଡାକ୍ତରୀ ଅମ୍ଳଜାନ ଉତ୍ପାଦନ ଉପରେ ବାତ୍ୟା ‘ୟାସ୍‌’ର ପ୍ରଭାବ ପଡ଼ିନାହିଁ। ଅବାଧରେ କଳିଙ୍ଗନଗର, ଜାମସେଦପୁର ଏବଂ ଅନଗୁଳର ଅକ୍ସିଜେନ୍‌ ପ୍ଲାଣ୍ଟ୍‌ରୁ ତରଳ ଡାକ୍ତରୀ ଅମ୍ଳଜାନ ପ୍ରେରଣ କରାଯାଇଥିଲା।

କିନ୍ତୁ, ଟ୍ୟାଙ୍କର୍‌ ସବୁ ଜାମସେଦପୁରକୁ ପଠାଇ ଦିଆଯାଇଥିବାରୁ କଳିଙ୍ଗ ନଗରକୁ କମ୍ ଟ୍ୟାଙ୍କର ପଠାଯାଇଥିଲା। ବାତ୍ୟା ଆଶଙ୍କାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ସେମାନେ କହିଛନ୍ତି। ସେହିପରି, ଦୁର୍ଗାପୁର, ବୁର୍ଣ୍ଣାପୁର ଏବଂ ରାଉରକେଲାରେ ଥିବା ‘ସେଲ୍‌’ ପ୍ଲାଣ୍ଟ୍‌ ସବୁ ମଧ୍ୟ ଯୋଗାଣ ପାଇଁ ପ୍ରସ୍ତୁତ ଥିଲେ।

ସମ୍ବନ୍ଧିତ ଖବର