ଏନ୍‌ପିଆର୍‌ ପ୍ରକ୍ରିୟାରେ କାହାକୁ ସନ୍ଦିଗ୍ଧ ଶ୍ରେଣୀଭୁକ୍ତ କରାଯିବ ନାହିଁ: ଶାହ

କଂଗ୍ରେସ ଶାସନରେ ଅଧିକ ଲୋକ ଦଙ୍ଗାରେ ମରିଛନ୍ତି’

ନୂଆଦିଲ୍ଲୀ : ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍) ପାଇଁ ତଥ୍ୟ ସଂଗ୍ରହ ବେଳେ କାହାକୁ ସନ୍ଦିଗ୍ଧ ବୋଲି ଚିହ୍ନଟ କରାଯିବ ନାହିଁ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଦିଲ୍ଲୀ ଦଙ୍ଗାକୁ ନେଇ ରାଜ୍ୟସଭାରେ ଚାଲିଥିବା ବିତର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଏନ୍‌ପିଆର୍‌ ଡାଟା ପ୍ରସ୍ତୁତି ବେଳେ କାହା ପାଖରୁ କୌଣସି କାଗଜପତ୍ର ବାଧ୍ୟତାମୂଳକ ମଗାଯିବ ନାହିଁ କି କାହାକୁ ସନ୍ଦିଗ୍ଧ ଶ୍ରେଣୀଭୁକ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏଣୁ ଏନ୍‌ପିଆର୍‌କୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଶାହ କହିଛନ୍ତି। ଏନ୍‌ପିଆର୍‌ ଫର୍ମ ପୂରଣ ସମୟରେ କାହାକୁ ସନ୍ଦିଗ୍ଧ ବୋଲି ଦର୍ଶାଯିବ ନାହିଁ। ତଥ୍ୟ ସଂଗ୍ରହ ବେଳେ ଯଦି କୌଣସି ତଥ୍ୟ ମିଳେନାହିଁ ତେବେ ସେହି ସ୍ଥାନ ଫାଙ୍କା ରଖାଯିବ। ରାଜ୍ୟସଭା‌ରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ ପ୍ରଶ୍ନର ଉତ୍ତର ଦେଇ ଶାହ କହିଥିଲେ, ଏନ୍‌ପିଆର୍‌ ନେଇ ଯଦି କିଛି ସନ୍ଦେହ ରହିଛି ତେବେ ସେ ସମ୍ପର୍କରେ ତାଙ୍କ ସହ ଆଲୋଚନା କରିବାକୁ ସେ ପ୍ରସ୍ତୁତ। ତେବେ କେନ୍ଦ୍ର ଗୃହମନ୍ତ୍ରୀ ଯାହା କହୁଛନ୍ତି ତାହା ସତ୍ୟ ନୁହେଁ ବୋଲି କଂଗ୍ରେସ ନେତା କପିଲ ସିବଲ କହିଥିଲେ। ଏନ୍‌ପିଆର ପାଇଁ ଯଦି କୌଣସି କାଗଜପତ୍ରର ଆବଶ୍ୟକତା ନାହିଁ ତେବେ ଏଭଳି ଆୟୋଜନ କାହିଁକି କରାଯାଉଛି ବୋଲି ଶିବଲ ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ, କେରଳ, ପଶ୍ଚିମବଙ୍ଗ, ବିହାର ଭଳି ରାଜ୍ୟ ଏନ୍‌ପିଆର୍‌କୁ ଅଗ୍ରାହ୍ୟ କରିଦେଇଛନ୍ତି। ତେବେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ମୁସ୍‌ଲିମମାନଙ୍କୁ ବିଭ୍ରାନ୍ତି କରାଯାଉଛି ବୋଲି ଶାହ ଆଜି ରାଜ୍ୟସଭାରେ ପ୍ରକାଶ କରିଛନ୍ତି।

କଂଗ୍ରେସ ଶାସନରେ ଅଧିକ ଲୋକ ଦଙ୍ଗାରେ ମରିଛନ୍ତି’
ନୂଆଦିଲ୍ଲୀ : କଂଗ୍ରେସ ଶାସନ କାଳରେ ହିଁ ଦେଶରେ ସର୍ବା‌ଧିକ ଲୋକ ଦଙ୍ଗାରେ ପ୍ରାଣ ହରାଇଛନ୍ତି। ଦେଶର ୭୬ ପ୍ରତିଶତ ଦଙ୍ଗା ମୃତ୍ୟୁ ମାମଲା କେବଳ କଂଗ୍ରେସ ଶାସିତ ରାଜ୍ୟରେ ଘଟିଛି ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ କହିଛନ୍ତି। ଦିଲ୍ଲୀ ଦଙ୍ଗାରେ ଅତି କମ୍‌ରେ ୧୯୨୨ ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ଶାହ ସୂଚନା ଦେଇଛନ୍ତି। ଦିଲ୍ଲୀ ଦଙ୍ଗା ପଛରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଥିଲା। ଏଥିପାଇଁ ବିଦେଶରୁ ଅର୍ଥ ଖର୍ଚ୍ଚ ହୋଇଛି। ଦଙ୍ଗା ପୀଡ଼ିତଙ୍କୁ ଜାତି ଓ ଧର୍ମ ଦୃଷ୍ଟିରେ ବିଚାର କରା ନଯାଇ ନିରପେକ୍ଷ ଭାବେ ତଦନ୍ତ କରାଯାଉଛି ବୋଲି ଶାହ କହିଛନ୍ତି। ଦିଲ୍ଲୀ ହାଇକୋର୍ଟର ବିଚାରପତି ମୁରଲୀଧରଙ୍କୁ କଲେଜିୟମ ସୁପାରିସକ୍ରମେ ବଦଳି କରାଯାଇଥିଲା ବୋଲି ଶାହ ବିରୋଧୀମାନଙ୍କ ପ୍ରଶ୍ନର ଉତ୍ତର ରଖି କହିଥିଲେ।

ସମ୍ବନ୍ଧିତ ଖବର