ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନକୁ ନେଇ ରାଜସ୍ଥାନରେ ରାଜନୈତିକ କନ୍ଦଳ ଆରମ୍ଭ ହୋଇଛି। ଏମଧ୍ୟରେ ଖବର ମିଳୁଛି ଯେ, ବିଜେପି ଅଧ୍ୟକ୍ଷ ବାଛିବା ପାଇଁ ନିର୍ବାଚନ କରିବ ନାହିଁ। ବର୍ତ୍ତମାନ ବିଜେପିର ଅଧ୍ୟକ୍ଷ ଥିବା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ ବୋଲି ଚର୍ଚ୍ଚା ହେଉଛି।

Advertisment

ସୂତ୍ରରୁ ଜଣାପଡିଛି ଯେ, ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୪ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ତାଙ୍କର କାର୍ଯ୍ୟକାଳ ଜାନୁଆରି ୨୦, ୨୦୨୩ରେ ଶେଷ ହେବାକୁ ଯାଉଥିବା ବେଳେ ବିଜେପି ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବ ବୋଲି ଚର୍ଚ୍ଚା ହେଉଛି।

ତେବେ ଜଗତ ପ୍ରକାଶ ନଡ୍ଡା ପ୍ରଥମ ସାତ ମାସ ପାଇଁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ। ଏହା ପରେ, ଜାନୁଆରି ୨୦, ୨୦୨୦ରେ ସେ ଜାତୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲେ। ସେହି ଅନୁଯାୟୀ, ତାଙ୍କର ତିନି ବର୍ଷ କାର୍ଯ୍ୟକାଳ ଜାନୁଆରି ୨୦, ୨୦୨୩ରେ ରେ ସମାପ୍ତ ହେଉଛି। ତେବେ, ୨୦୨୪ର ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜେପି ତାଙ୍କୁ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।

ଉଲ୍ଲେଖଯୋଗ୍ୟ, ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିବା ଜେପି ନଡ୍ଡା ନିଜର ସ୍ୱଚ୍ଛ ଭାବମୂର୍ତ୍ତି ପାଇଁ ଜଣାଶୁଣା। ଏହା ବ୍ୟତୀତ ସେ ଆରଏସଏସର ପାଖ ଲୋକ ବୋଲି ମଧ୍ୟ ବିବେଚନା କରାଯାଏ। ସେ କେବଳ କେନ୍ଦ୍ରରେ ନୁହେଁ ହିମାଚଳ ପ୍ରଦେଶରେ ମଧ୍ୟ ମନ୍ତ୍ରୀ ରହିଛନ୍ତି। ୧୯୯୮ରୁ ୨୦୦୩ପର୍ଯ୍ୟନ୍ତ ସେ ହିମାଚଳ ପ୍ରଦେଶରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ଏହା ପରେ ସେ ୨୦୦୮ରୁ ୨୦୧୦ପର୍ଯ୍ୟନ୍ତ ଧୁମଲ ସରକାରରେ ମନ୍ତ୍ରୀ ପଦ ମଧ୍ୟ ଗ୍ରହଣ କରିଥିଲେ। ୨୦୧୨ରେ ସେ ପ୍ରଥମ ଥର ପାଇଁ ରାଜ୍ୟସଭାର ସଦସ୍ୟ ହୋଇଥିଲେ। ମୋଦୀ ସରକାରରେ ସେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କରିସାରିଛନ୍ତି।