ଟରୋଣ୍ଟୋ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ସ୍ବୀକାରୋକ୍ତି କରିଛନ୍ତି। କାନାଡାର ‘ବିଦେଶୀ ହସ୍ତକ୍ଷେପ ଯାଞ୍ଚ ସଂସ୍ଥା’ ଆଗରେ ସାକ୍ଷ୍ୟ ଦେଇ ଟ୍ରୁଡୋ କହିଛନ୍ତି ଯେ ତାଙ୍କ ସରକାର କାନାଡା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କୁ ହତ୍ୟା କରାଯିବା ମାମଲାରେ ଭାରତକୁ କୌଣସି ପ୍ରମାଣ ଦେଇପାରିନାହାନ୍ତି। କେବଳ ଗୁଇନ୍ଦା ସୂଚନା ଆଧାରରେ କାନାଡ଼ା ଅଭିଯୋଗ ଉପସ୍ଥାପନ କରିଛି ଏବଂ କୌଣସି ପ୍ରମାଣ ଭାରତକୁ ଦିଆଯାଇନାହିଁ ବୋଲି ସେ କହିଛନ୍ତି। ‘ଏହି ମାମଲାରେ କାନାଡାର ଏଜେନ୍ସିମାନେ ଭାରତ ସହ ମିଳିତ ଭାବେ ତଦନ୍ତ କରିବାକୁ ପ୍ରୟାସ କରିଥିଲେ, କିନ୍ତୁ ଭାରତ ଏଥିରେ ସହଯୋଗ କରିନାହିଁ। ସେତେବେଳେ ନୂଆଦିଲ୍ଲୀ ଆମକୁ ପ୍ରମାଣ ମାଗିଥିଲା, କିନ୍ତୁ ଆମ ପାଖରେ କୌଣସି ବଳିଷ୍ଠ ପ୍ରମାଣ ନଥିଲା, କେବଳ ଗୁଇନ୍ଦା ସୂଚନା ରହିଥିଲା’ ବୋଲି ଟ୍ରୁଡୋ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଭାରତ ଏ ବାବଦରେ ବାରମ୍ବାର କହିଆସିଛି ଯେ ବିନା କୌଣସି ପ୍ରମାଣରେ କାନାଡା ଲଗାତାର ଭିତ୍ତିହୀନ ଅଭିଯୋଗ କରିଚାଲିଛି। ଆଜି ଟ୍ରୁଡୋଙ୍କ ବୟାନ ଭାରତର ଦାବିକୁ ଯଥାର୍ଥ ପ୍ରମାଣିତ କରିଥିବା ବେଳେ କେବଳ ନିର୍ବାଚନୀ ସ୍ବାର୍ଥ ଏବଂ କାନାଡାର ଶିଖ୍‌ ସଂପ୍ରଦାୟର ଭୋଟ୍‌ ପାଇଁ ଟ୍ରୁଡୋ ତାଙ୍କ ଅଭିଯୋଗକୁ ଅତ୍ୟନ୍ତ ଚାଞ୍ଚଲ୍ୟକର ଭାବେ ଉପସ୍ଥାପନ କରିଛନ୍ତି ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି। 

କେବଳ ଗୁଇନ୍ଦା ସୂଚନା ହିଁ ଆଧାର

କେବଳ ଗୁଇନ୍ଦା ସୂଚନା ହିଁ ଆଧାରତଥାପି ସହ‌ଯୋଗୀଙ୍କ ମାଧ୍ୟମରେ ନିନ୍ଦିତ କରିବାକୁ ପ୍ରୟାସ
ଆମେରିକା, ନ୍ୟୁଜିଲାଣ୍ଡ୍‌ ବି ଅଙ୍ଗୁଳି ଉଠାଇଲେ

ଖଲିସ୍ତାନୀ ଆତଙ୍କବାଦୀ ନିଜାର ହତ୍ୟା ମାମଲା ନେଇ ଭାରତ-କାନାଡା ସଂପର୍କ ଅତି ତିକ୍ତ ହୋଇଉଠିଛି ଏବଂ କାନାଡା ନିଜର ସହଯୋଗୀ ରାଷ୍ଟ୍ରମାନଙ୍କ ଦ୍ବାରା ଭାରତ ଉପରେ ଚାପ ସୃଷ୍ଟି କରିବା ଏବଂ ଭାରତକୁ ନିନ୍ଦିତ କରିବା ପାଇଁ ପ୍ରୟାସ ଜାରି ରଖିଛି। ଆଜି କାନାଡା ସହ ଆମେରିକା ଓ ନ୍ୟୁଜିଲାଣ୍ଡ୍‌ ସ୍ବର ମିଳାଇ କହିଛନ୍ତି ଯେ କାନାଡା ଭାରତ ବିରୋ‌ଧରେ ଯେଉଁ ଅଭିଯୋଗ ଆଣିଛି ତାହା ଅତ୍ୟନ୍ତ ସାଂଘାତିକ । ନିଜାର ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟାରେ ଭାରତ କାନାଡାର ପ୍ରୟାସକୁ ଗ୍ରହଣ କରୁନାହିଁ ବୋଲି ଆମେରିକା ଦାବି କରିଛି। ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ତୀବ୍ର ହୋଇଥିବା ବେଳେ ଆମେରିକା ବିଦେଶ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଆଜି ଏଭଳି ଟିପ୍ପଣୀ ଦେଇଛନ୍ତି। ମାଥ୍ୟୁ ମିଲର କହିଛନ୍ତି, କାନାଡାର ଅଭିଯୋଗକୁ ଭାରତ ଗମ୍ଭୀରତାର ସହ ଗ୍ରହଣ କରିବାର ଆବଶ୍ୟକତା ରହିଛି ଏବଂ ଏହାକୁ ଅଣଦେଖା କରାଯିବା ଉଚିତ ନୁହେଁ। ଏହି ତଦନ୍ତ ପ୍ରକ୍ରିୟାରେ କାନାଡ଼ାକୁ ଭାରତ ସହଯୋଗ କରିବା ଆମେ ଚାହୁଛୁ ବୋଲି ମାଥ୍ୟୁ କହିଛନ୍ତି।

ନ୍ୟୁଜିଲାଣ୍ଡ ମଧ୍ୟ ଉକ୍ତ ପ୍ରସଙ୍ଗରେ ଟିପ୍ପଣୀ ରଖି କାନାଡାର ଅଭିଯୋଗକୁ ଅଧିକ ପ୍ରାଧାନ୍ୟ ଦେଇଛି। ନ୍ୟୁଜିଲାଣ୍ଡର ବିଦେଶ ବ୍ୟାପାର ମନ୍ତ୍ରୀ ୱିନଷ୍ଟନ୍‌ ପିଟର୍ସ କହିଛନ୍ତି, କାନାଡ଼ା ଆଇନପ୍ରଣେତାଙ୍କ ଦ୍ବାରା ହୋଇଥିବା ଅଭିଯୋଗ ଯଦି ସତ ପ୍ରମାଣିତ ହୁଏ ତେବେ ଏହା ଅତ୍ୟନ୍ତ ଚିନ୍ତାଜନକ ହେବ। ଇତିମଧ୍ୟରେ ଭାରତ ସ୍ପଷ୍ଟ କରିଛି ଯେ, ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କୁ କାନାଡାରେ ସ୍ବାଗତ କରାଯାଉଛି। ଭାରତର ୱାଣ୍ଟେଡ୍‌ ଅପରାଧୀମାନଙ୍କୁ କାନାଡା ସରକାର ସବୁ ସହାୟତା ଯୋଗାଉଛନ୍ତି। ଏନେଇ କାନାଡାକୁ ଅବଗତ କରାଯାଇଥିଲେ ମଧ୍ୟ କାନାଡା କିଛି କାର୍ଯ୍ୟପନ୍ଥା ଗ୍ରହଣ କରିନି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ ରାଜ‌ନୈତିକ ଫାଇଦା ପାଇବା ପାଇଁ ଶିଖ୍‌ ସମ୍ପ୍ରଦାୟକୁ ବିଭ୍ରାନ୍ତ କରିଚାଲିଛନ୍ତି।