ନୂଆଦିଲ୍ଲୀ: ନାବାଳିକା ଯୌନଉତ୍ପୀଡ଼ନ ମାମଲାର ବଳିଷ୍ଠ ପ୍ରମାଣ ନ ଥିବା କହି ‘ଡବ୍ଲୁଏଫ୍ଆଇ’ ମୁଖ୍ୟ ବ୍ରିଜ୍ଭୂଷଣ ଶରଣ ସିଂହଙ୍କ ନାଁରେ ଲାଗୁ ହୋଇଥିବା ‘ପୋକ୍ସୋ’ ମାମଲାକୁ ଖାରଜ କରିବା ଲାଗି ଆଜି ଦିଲ୍ଲୀ ପୁଲିସ ରିପୋର୍ଟ ଦାଖଲ କରିଛି।
ଏହି ରିପୋର୍ଟ ଦାଖଲ କରିବା ଲାଗି ଦିଲ୍ଲୀ ପୁଲିସ ଅଧିକାରୀମାନେ ଆଜି ପାଟିଆଲା ହାଉସ୍ କୋର୍ଟରେ ହାଜର ହୋଇଥିଲେ। କୌଣସି ବଳିଷ୍ଠ ପ୍ରମାଣ ନ ମିଳିବା ଦର୍ଶାଇ ଏହି ମାମଲା ଖାରଜ କରିବା ପାଇଁ ୫୦୦ ପୃଷ୍ଠାବିଶିଷ୍ଟ ଏହି ରିପୋର୍ଟ ଦାଖଲ କରାଯାଇଛି।
ଜୁଲାଇ୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଶାଣି କରାଯିବା ଲାଗି ଦିନ ଧାର୍ଯ୍ୟ କରାଯାଇଛି।
/sambad/media/post_attachments/wp-content/uploads/2023/06/brij.jpg)
ଏହାଛଡ଼ା, ବ୍ରିଜ୍ଭୂଷଣ ଶରଣ ସିଂହଙ୍କ ନାମରେ ମହିଳା କୁସ୍ତି ଖେଳାଳିମାନେ ଫାଇଲ୍ କରିଥିବା ଯୌନଉତ୍ପୀଡ଼ନ ମାମଲାରେ ମଧ୍ୟ ଦିଲ୍ଲୀ ପୁଲିସ ୧୦୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି।
ସଂଗୃହୀତ ସୂଚନା ଅନୁସାରେ, ବ୍ରିଜ୍ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନଉତ୍ପୀଡ଼ନ ଆଗତ କରିଥିବା ଉକ୍ତ ନାବାଳିକାଜଣକ ତାଙ୍କର ବୟାନ ବଦଳାଇ ଦେଇଛନ୍ତି। ସଦ୍ୟତମ ବୟାନରେ ନାବାଳିକାଜଣକ କହିଛନ୍ତି ଯେ, ତାଙ୍କୁ ମନୋନୀତ କରାଯାଇ ନ ଥିବାରୁ ରାଗରେ ସେ ‘ଡବ୍ଲୁଏଫ୍ଆଇ’ ମୁଖ୍ୟଙ୍କ ନାଁ’ରେ ମାମଲା ଏହି ରୁଜୁ କରିଥିଲେ।
ନାବାଳିକା କହିଛନ୍ତି, କଠିନ ପରିଶ୍ରମ ସତ୍ତ୍ବେ ମୁଁ ମନୋନୀତ ହୋଇ ନ ଥିଲି। ଖୁବ୍ ହତାଶ ଲାଗୁଥିଲା। ତେଣୁ, ରାଗରେ ମୁଁ ଯୌନଉତ୍ପୀଡ଼ନ ମାମଲା ଫାଇଲ୍ କରିଥିଲି।