ନୂଆଦିଲ୍ଲୀ : ଭାରତରେ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ଚାରି ଦିନ ମଧ୍ୟରେ ଦ୍ୱିଗୁଣିତ ହୋଇଥିବା ବେଳେ ଏହି ଭୂତାଣୁ ବାୟୁବାହୀ ହେବାର କୌଣସି ପ୍ରମାଣ ନାହିଁ ବୋଲି କହିଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)। କରୋନାଭାଇରସ୍ ବାୟୁବାହୀ ହେବାର କୌଣସି ପ୍ରମାଣ ନାହିଁ ବୋଲି ସରକାରଙ୍କ ଦୈନିକ ସଂକ୍ଷିପ୍ତ ବୈଠକରେ ମୁଖ୍ୟ ବୈଜ୍ଞାନିକ(ଆଇସିଏମ୍ଆର୍) ଡକ୍ଟର ରମଣ ଗଙ୍ଗାଖେଡକର କହିଛନ୍ତି।
ସଂକ୍ରମିତ ବ୍ୟକ୍ତିଙ୍କ କାଶିବା କିମ୍ବା ଛିଙ୍କିବା ସମୟରେ କିମ୍ବା ଲାଳର ବୁନ୍ଦାର ସଂସ୍ପର୍ଶରେ ଆସିବା ଦ୍ୱାରା କରୋନାଭାଇରସ୍ ବ୍ୟାପିଥାଏ | ଆମକୁ ବୁଝିବାକୁ ହେବ ଯେ, ବିଜ୍ଞାନରେ ଯିଏ ପରୀକ୍ଷଣ କରେ, ସେମାନଙ୍କର ଭିନ୍ନ ଭିନ୍ନ ମତ ଆସିଥାଏ | କିନ୍ତୁ ଆମକୁ ଏକ ସନ୍ତୁଳିତ ଏବଂ ପ୍ରମାଣ-ଆଧାରିତ ଜିନିଷ ଉପରେ ବିଶ୍ୱାସ କରିବା ଆବଶ୍ୟକ | | “ଉଦାହରଣ ସ୍ୱରୂପ, ଯଦି ଏହା ଏକ ବାୟୁବାହୀ ସଂକ୍ରମଣ ହୋଇଥାନ୍ତା, ତେବେ ଗୋଟିଏ ଆକ୍ରାନ୍ତ ପରିବାରର ସମସ୍ତ ସଦସ୍ୟ କରୋନା ପଜିଟିଭ ହୋଇଯାଇଥାନ୍ତେ, କାରଣ ଗୋଟେ ପରିବାର ସମାନ ବାୟୁରେ ନିଶ୍ୱାସ ନେଉଛନ୍ତି। ସେହିଭଳି ଭାବେ ଏହା ବାୟୁବାହୀ ହୋଇଥିଲେ କରୋନା ପୀଡିତ ଚିକିତ୍ସିତ ହେଉଥିବା ଡାକ୍ତରଖାନାରେ ସମସ୍ତ ରୋଗୀ କରୋନା ଆକ୍ରାନ୍ତ ହୋଇଯାଇଥାନ୍ତେ ବୋଲି କହିଛି ଆଇସିଏମ୍ଆର୍ ।

ରବିବାର ଦିନ ଭାରତରେ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୩,୩୭୪କୁ ବୃଦ୍ଧି ପାଇ ସତୁରି ଜଣ ଲୋକ ପ୍ରାଣ ହରାଇଥିବାବେଳେ ୨୬୭ ଜଣ ଲୋକ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି। ଅଗ୍ରୱାଲ ଏହା ମଧ୍ୟ କହିଛନ୍ତି ଯେ, ଗତ ମାସରେ ଦିଲ୍ଲୀରେ ହୋଇଥିବା ତବଲିଗି ଜାମାତ ଘଟଣା ସମ୍ପ୍ରତି ସଂକ୍ରମଣର ଦ୍ରୁତ ବୃଦ୍ଧିରେ ସହାୟକ ହୋଇଛି। ଭାରତରେ ଏବେ ପ୍ରତି ୪.୧ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଉଛି । କିନ୍ତୁ ଯଦି ତାବଲିଗି ଜମାତ ସମ୍ମିଳନୀ ହୋଇନଥାନ୍ତା ତେବେ ସଂକ୍ରମିତ ସଂଖ୍ୟା ଦୁଇଗୁଣ ହେବା ପାଇଁ ୭.୪ ଦିନ ଲାଗିଥାନ୍ତା ।