ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ବିହାର ମୁଜାଫରପୁର ଆଶ୍ରୟଗୃହ ଶିଶୁମୃତ୍ୟୁ ମାମଲାରେ ଏକ ରୋଚକ ମୋଡ଼ ଆସିଛି । ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ସୁପ୍ରିମକୋର୍ଟରେ କହିଛି ଯେ ଏହି ଆଶ୍ରୟଗୃହରେ ଶିଶୁମାନଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ । ଏପରିକି ମୃତ କୁହାଯାଉଥିବା ଶିଶୁମାନେ ବଞ୍ଚିଛନ୍ତି ।

Advertisment

ସୁପ୍ରିମକୋର୍ଟରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରି ସିବିଆଇ କହିଛି ଯେ ଏହି ଆଶ୍ରୟଗୃହ ପରିସରରୁ ମିଳିଥିବା କଙ୍କାଳ କୌଣସି ଶିଶୁଙ୍କର ନୁହେଁ, ବରଂ ଏହା ଜଣେ ପ୍ରାପ୍ତବୟସ୍କ ପୁରୁଷ ଓ ଜଣେ ମହିଳାଙ୍କର ।

ସିବିଆଇ ପକ୍ଷରୁ ମାମଲା ଲଢୁଥିବା ଆଟର୍ଣ୍ଣି ଜେନେରାଲ କେ.କେ. ଭେନୁଗୋପାଳ କହିଛନ୍ତି ଯେ ଯେଉଁ ଶିଶୁମାନଙ୍କୁ ହତ୍ୟା କରାଯାଇଥିବା ସଂଦେହ କରାଯାଉଥିଲା, ସେମାନେ ଜୀବିତ ଥିବା ଜଣାପଡ଼ିଛି । ଏ ସଂପର୍କରେ ତଦନ୍ତ ଶେଷ କରି ସିବିଆଇ ପକ୍ଷରୁ ଚାର୍ଜସିଟ ପ୍ରସ୍ତୁତ କରାଯାଇଛି ସଂପୃକ୍ତ କୋର୍ଟରେ ଦାଖଲ କରାଯାଇଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ବିହାରର ୧୭ଟି ଆଶ୍ରୟଗୃହରେ ସିବିଆଇ ତଦନ୍ତ କରିଥିଲା । ଏହା ମଧ୍ୟରୁ ୧୩ଟିରେ ଚାର୍ଜସିଟ ଦାଖଲ କରାଯାଇଛି ଓ ଅବଶିଷ୍ଟ ୪ଟି ରେ କୌଣସି ପ୍ରମାଣ ନମିଳିବାରୁ ମାମଲା ବନ୍ଦ କରାଯାଇଛି ।

ପ୍ରଧାନବିଚାରପତି ଜଷ୍ଟିସ ଏସଏ ବୋବଡ଼େଙ୍କ ଅଧ୍ୟକ୍ଷତାରେ ଥିବା ଖଣ୍ଡପୀଠ ସିବିଆଇର ଷ୍ଟାଟସ ରିପୋର୍ଟକୁ ଗ୍ରହଣ କରିବା ସହ ସିବିଆଇର ଦୁଇଜଣ ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତକାରୀ ଦଳରୁ ଦାୟିତ୍ୱମୁକ୍ତ କରିଛନ୍ତି ।